ଭୟଙ୍କର ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି, ୨୩ ନିଖୋଜ

ଗୌହାଟୀ: ପଶ୍ଚିମ ମଣିପୁରର ନୋନୀ ଜିଲ୍ଲାରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୮ ଛୁଇଁଲା । ଏହା ସହିତ ୧୩ ଜଣ ଆହତ ହୋଇଛନ୍ତି। ବୁଧବାର ରାତିରେ ତୁପୁଲ ୟାର୍ଡ ନିର୍ମାଣଧୀନ ରେଳବାଇ କ୍ୟାମ୍ପ ପାଖରେ ଏପରି ଦୁର୍ଘଟଣା ହୋଇଛି। ଏଥିରେ ମୃତ୍ୟୁବରଣ କରିଥିବା ଲୋକଙ୍କମଧ୍ୟରୁ ଅଧିକାଂଶ ଟେରିଟୋରିଆଲ ଆର୍ମିର ଯବାନ ଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।

ଭୂସ୍ଖଳନ ଫଳରେ ଏକ ନଦୀପ୍ରବାହ ବନ୍ଦ ହୋଇ ନଦୀ ବନ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ଏହି ବନ୍ଧକୁ ଭଙ୍ଗାଯାଏ ତାହେଲେ କୃତ୍ରିମ ବନ୍ୟାହେବା ସହିତ ଜଟିଳ ପର୍ଯ୍ୟାବରଣ ବିପଦ ଦେଖାଦେବ। ଇଜେଇ ନଦୀ ଜଳ ପ୍ରବାହ ବନ୍ଦ ହୋଇ ନଦୀବନ୍ଧ ଭଳି ପରସ୍ଥିତି ହୋଇଛି। ଯଦି ପରିସ୍ଥିତି ବିଗିଡ଼ିଲା ତାହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ସେଠାକାର ତଳିଆ ଅଞ୍ଚଳକୁ ପ୍ରଭାବିତ କରିପାରେ।

ସେଥିପାଇଁ ନୋନି ଜିଲ୍ଲାର ବାସିନ୍ଦାମାନଙ୍କୁ ବିଭାଗୀୟ ଅଧିକାରୀମାନେ ସତର୍କତା ଅବଲମ୍ୱନ କରିବା ସହିତ ଛୋଟ ପିଲାମାନଙ୍କୁ ନଦୀ ପାଖକୁ ଛାଡ଼ିବାକୁ ମନା କରିଛନ୍ତି। ଉଦ୍ଧାର କାର୍ଯ୍ୟପାଇଁ ନୋନି ଜିଲ୍ଲା ପ୍ରଶାସନ ଜାତୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ସହିତ ସମ୍ପର୍କରେ ଅଛନ୍ତି।