ପାକ୍‌ ସେନାର ପୂର୍ବତନ ମୁଖ୍ୟ ବାଜଓ୍ଵା ମୋତେ ହତ୍ୟାକରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ଚାହୁଁଥିଲେ: ଇମ୍ରାନ୍‌

ପାକିସ୍ତାନର ପୂର୍ବତନ ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପାକିସ୍ତାନର ବହିଷ୍କୃତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନ୍‌ ଅଭିଯୋଗ କରିଛନ୍ତି ଯେ ପୂର୍ବତନ ସେନା ମୁଖ୍ୟ ତାଙ୍କୁ ହତ୍ୟା କରିବାକୁ ଏବଂ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ଚାହୁଁଥିଲେ।

ଲାହୋରରେ ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲ୍‌କୁ ଏକ ସାକ୍ଷାତକାର ଦେବା ସମୟରେ ପାକିସ୍ତାନ ତେହରିକ୍‌-ଏ-ଇନସାଫ୍‌ ଦଳର ଅଧ୍ୟକ୍ଷ ଖାନ୍‌ ଏହି ଗୁରୁତର ଅଭିଯୋଗ କରିଛନ୍ତି। ଏପ୍ରିଲରେ ଅନାସ୍ଥା ପ୍ରସ୍ତାବ ଦ୍ୱାରା କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ୭୦ ବର୍ଷ ବୟସ୍କ ଖାନ ବାଜୱାଙ୍କ ସହ ବିବାଦରେ ଥିଲେ। ନଭେମ୍ବର ୩ରେ ସେ ଡାହାଣ ଗୋଡରେ ଗୁଳିମାଡ଼ରେ ଆଘାତ ପାଇଥିଲେ ଯେତେବେଳେ ଦୁଇ ଜଣ ବନ୍ଧୁକଧାରୀ ଲାହୋରଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିବା ୱାଜିରାବାଦ ଅଞ୍ଚଳରେ ଏକ ର‍୍ୟାଲିରେ ଉଦ୍‌ବୋଧନ ଦେବା ପାଇଁ ଏକ ଟ୍ରକ୍‌ ଉପରେ ଠିଆ ହୋଇଥିବା ବେଳେ ତାଙ୍କ ଉପରେ ଗୁଳି ମାଡ଼ ହୋଇଥିଲା।