ପୁରୀର ମାର୍କେଟ କମ୍ପ୍ଲେକ୍ସରେ ପୁଣି ଅଗ୍ନିକାଣ୍ଡ; ହ୍ୟାଣ୍ଡଲୁମ୍‌ ସୋ’ରୁମ୍‌ରେ ଲାଗିଲା ନିଆଁ

ଆଧ୍ୟାତ୍ମିକ ସହର ‘ଶ୍ରୀକ୍ଷେତ୍ର’ରେ ପୁଣି ଥରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଏହା ପୁଣି ୪୮ ଘଣ୍ଟା ନପୁରୁଣୁ। ପୁରୀ ସହରବାସୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଭୁଲି ନଥିଲା ‌‌ବେଳେ ଏଠାରୁ ଅଳ୍ପ ଦୂରରେ ଥିବା ନୀଳାଦ୍ରି କମ୍ପ୍ଲେକ୍ସର ଏକ ହ୍ୟାଣ୍ଡଲୁମ୍‌ ସୋ’ରୁମ୍‌ରେ ଶୁକ୍ରବାର ସନ୍ଧ୍ୟାରେ ନିଆଁ ଲାଗିଛି। ଅଗ୍ନିକାଣ୍ଡ ଅତି ଭୟଙ୍କର ନଥିବାରୁ ଅଗ୍ନିଶମ ବାହିନୀ ଏହାକୁ କମ୍‌ ସମୟ ମଧ୍ୟରେ ଆୟତ୍ତ କରିପାରିଛନ୍ତି।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ନୀଳାଦ୍ରି କମ୍ପ୍ଲେକ୍ସର ଭୀ ମପାତ୍ର ହେରିଟେଜ୍‌ ସୋ’ରୁମ୍‌ରେ ନିଆଁ ଲାଗିଥିଲା। ଏହା ଏକ ଘରୋଇ ସୋ’ରୁମ ଥିଲା। ଏଠାରେ ଓଡ଼ିଶା ‌ହ୍ୟାଣ୍ଡଲୁମ୍‌ର ସାମଗ୍ରୀ ମଧ୍ୟ ବିକ୍ରି ହୋଇଥାଏ। ନିଆଁ ଲାଗିବା କ୍ଷଣି କାର୍ଯ୍ୟରତ କର୍ମଚାରୀମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କମ ସମୟ ମଧ୍ୟରେ ଆୟତ୍ତ କରିପାରିଥିଲେ। ଏସ୍‌ପି କନୱର ବିଶାଳ ସିଂହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି  ସଂପର୍କରେ ଅବଗତ ହୋଇଛନ୍ତି। ସେ କହିଛନ୍ତି ସଟ୍‌ସର୍କିଟ ଯୋଗୁଁ ସୋ’ରୁମରେ ଛୋଟ ଧରଣର ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତ‌େବେ ଅଗ୍ନିକାଣ୍ଡକୁ ୫ରୁ ୧୦ ମିନିଟ ମଧ୍ୟରେ ଆୟତ୍ତ କରାଯାଇପାରିଛି। ତେଣୁ ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ।