ବିକ୍ରମ କେଶରୀ ଆରୁଖ ହେଲେ ବିଧାନସଭାର ନୂଆ ବାଚସ୍ପତି

ଭୁବନେଶ୍ୱର:ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ସ୍ୱତନ୍ତ୍ର ଅଧିବେଶନରେ ନିଦ୍ୱର୍ନ୍ଦ୍ୱରେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି । ବିକ୍ରମ ଆରୁଖଙ୍କ ନାଁ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଚନିକ ଭୋଟରେ ବିକ୍ରମ ବାଚସ୍ପତି ରୂପେ ନିର୍ବାଚିତ ହୋଇଛନ୍ତି । ଏନେଇ ଉପବାଚସ୍ପତି ରଜନୀକାନ୍ତ ସିଂହ ଘୋଷଣା କରିଛନ୍ତି ।

ତେବେ ୧୦ ତାରିଖରେ ନାମାଙ୍କନ ଭରିଥିଲେ ବିକ୍ରମ ଆରୁଖ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକ୍ରମଙ୍କ ପ୍ରସ୍ତାବକ ରହିଛନ୍ତି । ଦଳର ବରିଷ୍ଠ ନେତା ଏବଂ ମନ୍ତ୍ରୀଙ୍କ ଗହଣରେ ଯାଇ ବିକ୍ରମ କେଶରୀ ଆରୁଖ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ବିକ୍ରମ କେଶରୀ ‌ଆରୁଖଙ୍କ ବ୍ୟତିତ ଅନ୍ୟ କେହି ପ୍ରାର୍ଥୀ ବାଚସ୍ପତି ପଦ ପାଇଁ ନାମାଙ୍କନ କରିନଥିଲେ । ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥ ହେବା ପରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବାଚସ୍ପତି ଆସନ ଖାଲି ପଡ଼ିଥିଲା ।

ଖବର ଅନୁଯାୟୀ, ୧୯୯୫ରେ ପ୍ରଥମ ଥର ପାଇଁ ବିକ୍ରମ ଆରୁଖ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରୁ ଲଗାତର ଭାବେ ବିଜେଡି ଟିକେଟ୍ ରୁ ସେ ଜିତି ଆସୁଛନ୍ତି । ୨୦୦୯ରେ ଚତୁର୍ଥ ଥର ବିଧାୟକ ହେବା ପରେ ପ୍ରଥମ ଥର ପାଇଁ ତାଙ୍କୁ ମନ୍ତ୍ରୀପଦ ମିଳିଥିଲା । ବିକ୍ରମ ଆରୁଖ ଗ୍ରାମ୍ୟ ଉନ୍ନୟନ ଓ ଆଇନ ବିଭାଗ ମନ୍ତ୍ରୀ ହୋଇଥିଲେ। ଏହା ପରଠାରୁ ଆରୁଖ ଆଇନ, ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ସମ୍ଭାଳି ଆସିଥିଲେ । ଗଞ୍ଜାମ ଜିଲ୍ଲାରୁ ବିକ୍ରମ ଆରୁଖ ହିଁ ଦୀର୍ଘ ୧୩ ବର୍ଷରୁ ଅଧିକ ସମୟ ହେଲା ମନ୍ତ୍ରୀ ପଦରେ ରହି ଆସିଥିଲେ ।