ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସେନା ଯବାନମାନେ ବିଫଳ କରିଦେଇଛନ୍ତି । ଏହି ଘଟଣାରେ ଜଣେ ଅନୁପ୍ରବେଶକାରୀ ନିହତ ହୋଇଛି ।
ସେନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଶାହାପୁର ସେକ୍ଟରରେ ଯବାନମାନେ ଏଲଓସିର ସୁରକ୍ଷା କରୁଥିବାବେଳେ ପାକିସ୍ତାନପଟୁ କେତେକ ଆତଙ୍କବାଦୀ ଭାରତ ଭିତରକୁ ଅନୁପ୍ରବେଶ କରୁଥିବା ଦେଖିବାକୁ ପାଇଥିଲେ । ଯବାନମାନେ ଏହା ଦେଖି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ପାଇଁ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନ୍ୟମାନେ ଖସି ପଳାଇଥିଲେ ।
ଗୁଳିବିନିମୟ ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ ଜଣେ ଆତଙ୍କବାଦୀର ମୃତଦେହ ଜବତ ହୋଇଥିଲା । ଅନ୍ୟମାନଙ୍କୁ ଧରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସେନାପକ୍ଷରୁ କୁହାଯାଇଛି । ଜମ୍ମୁର ସେନା ଜନସମ୍ପର୍କ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି ଯେ ଶନିବାର ଓ ରବିବାର ମଧ୍ୟରାତ୍ରିରେ ପୁଞ୍ଚରେ ନିୟନ୍ତ୍ରଣ ରେଖା ନିକଟରେ ସୀମା ବାଡ଼ ନିକଟରେ ଅନୁପ୍ରବେଶକାରୀଙ୍କ ସନ୍ଦେହଜନକ ଗତିବିଧି ଦେଖିଥିଲେ। ଘେରାବନ୍ଦୀ ଅଞ୍ଚଳରେ ଆଉ ଦୁଇ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀ ଥିବା ସେନା ସନ୍ଦେହ କରୁଛି ବୋଲି ସେନା କହିଛି ।