ଏପ୍ରିଲ ୨୬ରେ ଦିଲ୍ଲୀ ମେୟର ନିର୍ବାଚନ

ଦିଲ୍ଲୀରେ ଆସନ୍ତା ୨୬ ତାରିଖରେ ପୁଣି ଥରେ ମେୟର ନିର୍ବାଚନ ହେବାକୁ ଯାଉଛି। ପୂର୍ବରୁ ବହୁ ହଙ୍ଗାମା ଓ ଅନେକ ଥର ନିର୍ବାଚନ ସ୍ଥଗିତ ରହିବା ପରେ ଗତ ଫେବ୍ରୁଆରି ୨୨ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଆପ୍ ର ଶୈଲି ଓବରୟ ବିଜୟୀ ହୋଇଥିଲେ, କିନ୍ତୁ ବିଳମ୍ବିତ ନିର୍ବାଚନ ଯୋଗୁଁ ତାଙ୍କୁ ଖୁବ୍ କମ୍ କାର୍ଯ୍ୟକାଳ ମିଳିଥିଲା, ଯାହା ପରେ ଏବେ ପୁଣି ଥରେ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି ।

ଆପ୍ ବିଧାୟକ ତଥା ମୁଖପାତ୍ର ସୌରଭ ଭରଦ୍ୱାଜ ରବିବାର କହିଛନ୍ତି ଯେ ଏପ୍ରିଲ ୨୬ରେ ଦିଲ୍ଲୀରେ ମେୟର ନିର୍ବାଚନ ଅନୁଷ୍ଠିତ ହେବ। ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ କଡ଼ା ସମାଲୋଚନା କରି ସେ କହିଛନ୍ତି ଯେ ଯଦି ଉପରାଜ୍ୟପାଳଙ୍କ ଅଫିସ ନିୟମ ପାଳନ କରେ ତେବେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ହୋଇପାରିବ। ଗତଥର ଏହା ଦୁର୍ଭାଗ୍ୟଜନକ ଥିଲା ଯେ, ଏଲଜି ପ୍ରୋଟେମ୍ ମେୟର ଗଠନ କରିଥିଲେ, ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ”