ଖଡ଼ଗେଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ଚେହେରା, ନିର୍ବାଚନ ପୂର୍ବରୁ ଏଭଳି ଦାବି ଉଠାଇଲେ ଡିକେ ଶିବକୁମାର

କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ମାସେରୁ କମ ସମୟ ଥିବାବେଳେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ କଂଗ୍ରେସର ପିସିସି ସଭାପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହିଛି | କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ମଧ୍ୟରେ ଚାଲିଥିବା କନ୍ଦଳ ମଧ୍ୟରେ ପିସିସି ସଭାପତି ଡି.କେ ଶିବକୁମାର ଏବେ ଏକ ନୂଆ ରଣନୀତି ଆପଣାଇଛନ୍ତି | ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାମକୁ ନାମିତ କରିଛନ୍ତି | ଆଉ ଏହା ପରେ କଂଗ୍ରେସ ନେତାଙ୍କ ମଧ୍ୟରେ ଆଲୋଚନା ତୀବ୍ର ହୋଇଛି। ଶିବକୁମାର କହିଥିଲେ ଯେ ବିଧାନସଭା ନିର୍ବାଚନ ପରେ ଯଦି ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ସେ ତାଙ୍କ ଅଧୀନରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି।