ସତ ବାହାରକୁ ଆସିବା ଦରକାର : ଅସଦ୍ ଏନକାଉଣ୍ଟରର ତଦନ୍ତ ଦାବି କଲେ ମାୟାବତୀ

ଉତ୍ତରପ୍ରଦେଶର କୁଖ୍ୟାତ ମାଫିଆ ଓ ବାହୁବଳୀ ଅତୀକ୍ ଅହମ୍ମଦର ପୁଅ ଅସଦ ପୁଲିସ ଏନ୍ କାଉଣ୍ଟରରେ ନିହତ ହେବା ଘଟଣାକୁ ନେଇ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇଛନ୍ତି । ପ୍ରଥମେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏହାକୁ ନେଇ ପ୍ରଶ୍ନ ଉଠାଇବା ପରେ ଏବେ ବହୁଜନ ସମାଜ ପାର୍ଟି (ବିଏସପି) ନେତ୍ରୀ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ମଧ୍ୟ ଟୁଇଟ୍ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ଏକ ଟୁଇଟ କରି ସେ ଲେଖିଛନ୍ତି, “ଆଜି ପୁଲିସ ଏନକାଉଣ୍ଟରରେ ଅତୀକ ଅହମ୍ମଦଙ୍କ ପୁଅ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଅନେକ ଚର୍ଚ୍ଚା ହେଉଛି । ବିକାଶ ଦୁବେ ମାମଲାର ପୁନରାବୃତ୍ତି ହେବାର ଆଶଙ୍କା ସତ ହୋଇଛି ବୋଲି ଲୋକେ ଅନୁଭବ କରୁଛନ୍ତି। ତେଣୁ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଓ ସତ୍ୟକୁ ଜନସାଧାରଣଙ୍କ ସାମ୍ନାକୁ ଆଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି।“