ବିଚାରାଧୀନ କଏଦୀଙ୍କୁ ଉଲଗ୍ନ କରି ଯାଞ୍ଚ କରିବା ଭୁଲ: କୋର୍ଟ

ବିଚାରାଧୀନ କଏଦୀଙ୍କୁ ଉଲଗ୍ନ କରି ଯାଞ୍ଚ କରିବା ଭୁଲ | ଏହାଦ୍ୱାରା ମାନବିକ ଅଧିକାରର ଉଲ୍ଲଂଘନ ହୋଇଥାଏ | ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ କହିଛନ୍ତି ଯେ ବିଚାରାଧୀନ କଏଦୀଙ୍କୁ ନିବସ୍ତ୍ର କରି ଯାଞ୍ଚ କରିବା ସମ୍ପୂର୍ଣ୍ଣ ଭୁଲ। ଏହାଦ୍ୱାରା ସେମାନଙ୍କ ମୌଳିକ ଅଧିକାରର ଉଲ୍ଲଂଘନ ହୋଇଥାଏ ବୋଲି କୋର୍ଟ କହିଛନ୍ତି। କଏଦୀମାନଙ୍କୁ ଯାଞ୍ଚ କରିବା ପାଇଁ ସ୍କାନର ଏବଂ ବୈଷୟିକ ଉପକରଣ ବ୍ୟବହାର କରିବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାସ୍ତବରେ ୧୯୯୩ ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ଅହମ୍ମଦ କମଲ ଶେଖ ଏଭଳି ଯାଞ୍ଚ ବିରୋଧରେ ଏକ ପିଟିସନ ଦାଖଲ କରିଥିଲା । ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟର ବିଚାରପତି ବିଡି ଶେଲକେ, ଏପ୍ରିଲ୍ ୧୦ରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ପିଟିସନରେ ଅହମ୍ମଦ କମଲ ଶେଖ ଦାବି କରିଥିଲା ଯେ ଯେତେବେଳେ ବି କୋର୍ଟର ଶୁଣାଣି ପରେ ତାଙ୍କୁ ଜେଲକୁ ନିଆଯାଉଥିଲା, ସେତେବେଳେ ତାଙ୍କୁ ଜେଲର କର୍ମଚାରୀମାନେ ନିବସ୍ତ୍ର କରି ତନାଘନା କରୁଥିଲେ |