ବନ୍ଧବୀଙ୍କୁ କକପିଟକୁ ନେଇଥିବା ପାଇଲଟ୍‌ ନିଲମ୍ବିତ

ଦୁବାଇରୁ ଦିଲ୍ଲୀ ଯାଉଥିବା ବିମାନରେ ଜଣେ ମହିଳା ବନ୍ଧୁଙ୍କୁ ସୁରକ୍ଷା ନିୟମ ଉଲ୍ଲଂଘନ କରି କକପିଟ୍‌ ରେ ପ୍ରବେଶ ଓ ରହିବାକୁ ଅନୁମତି ଦେଇଥିବାରୁ ଏୟାର ଇଣ୍ଡିଆର ଜଣେ ପାଇଲଟଙ୍କୁ ୩ ମାସ ପାଇଁ ନିଲମ୍ବିତ କରାଯାଇଛି ଏବଂ ଏୟାରଲାଇନ୍‌ସକୁ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହି ଘଟଣା ଗତ ଫେବ୍ରୁଆରି ମାସରେ ଘଟିଥିଲା।

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ କୁହାଯାଇଛି ଯେ ବିମାନର କମାଣ୍ଡରେ ଥିବା ପାଇଲଟ୍‌ ଡିଜିସିଏ ନିୟମକୁ ଉଲ୍ଲଂଘନ କରି ଯାତ୍ରୀ ଭାବେ ସଂପୃକ୍ତ ବିମାନରେ ଯାତ୍ରା କରୁଥିବା ଜଣେ ବାନ୍ଧବୀଙ୍କୁ ଉଡ଼ାଣ ସମୟରେ କକପିଟ୍‌ରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ଏହା ନିରାପତ୍ତା ସମ୍ବେଦନଶୀଳ ନିୟମର ଉଲ୍ଲଂଘନ ହୋଇଥିଲେ ସୁଦ୍ଧା ଏୟାର ଇଣ୍ଡିଆ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରି ନଥିଲା ବୋଲି ନିୟାମକ କହିଛନ୍ତି।