ଜାତୀୟ ଜଳ ପୁରସ୍କାର ପାଇଁ ଓଡ଼ିଶା ଦ୍ବିତୀୟ ଶ୍ରେଷ୍ଠ ରାଜ୍ୟ
ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟକୁ ଏହି ପୁରସ୍କାର ପ୍ରଦାନ କରାଯିବ, ଯାହାର ତାରିଖ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।
୩.୨ ଲକ୍ଷ ହେକ୍ଟର ପାଇଁ ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି ହୋଇଛି
ଭୁବନେଶ୍ବର : ଜଳ ସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ୨୦୨୦-୨୧ ଓ ୨୦୨୧-୨୨ ରେ କାର୍ଯ୍ୟ କରିଥିବାରୁ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଜାତୀୟ ଜଳ ପୁରସ୍କାର-୨୦୨୨ରେ ଓଡ଼ିଶା ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ବିବେଚିତ ହୋଇଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଫଳରେ ୩.୨ ଲକ୍ଷ ହେକ୍ଟର ପାଇଁ ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି ହୋଇଛି ଏବଂ ୪ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି।
ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ଲୋୟର ଇନ୍ଦ୍ରା ଜଳସେଚନ ପ୍ରକଳ୍ପ ଏବଂ କଳାହାଣ୍ଡି ଜିଲ୍ଲାର ଉପର ଇନ୍ଦ୍ରାବତୀ ଉଠା କେନାଲ ପ୍ରକଳ୍ପ ଭଳି ଦୁଇଟି ପ୍ରମୁଖ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଏହି ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି ହୋଇଛି। ଏହାବ୍ୟତୀତ ୨୮୩୩ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ଏବଂ ୨୨,୫୦୦ ଗଭୀର ନଳକୂପ ସହିତ ଉପରିଆ ଅଞ୍ଚଳକୁ ଜଳ ଯୋଗାଣ ପାଇଁ ୬୧ଟି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି, ଯାହା ଜଳସେଚନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭୌଗୋଳିକ ଏବଂ ସାମାଜିକ ସମନ୍ୱୟକୁ ସୁନିଶ୍ଚିତ କରିବ ।
ଜଳସମ୍ପଦ ବିଭାଗ ର ସୂଚନା ଅନୁଯାୟୀ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ରେ ଦୀର୍ଘ ଦିନଧରି ଅଟକି ରହିଥିବା କିଛି ସମସ୍ୟାର ସମାଧାନ ପରେ ପ୍ରାୟ ୩୨ ହଜାର ହେକ୍ଟର ଜମିକୁ ଜଳ ଯୋଗାଣ କରାଯାଉଛି । ଏହାବ୍ୟତୀତ ସବୁ ବର୍ଗର ଜଳସେଚନ ପ୍ରକଳ୍ପର ବିତରଣ ବ୍ୟବସ୍ଥାରେ ଭୂତଳ ପାଇପ୍ ଲାଇନ୍ ଗ୍ରହଣ କରାଯାଇଥିବାରୁ ପ୍ରକଳ୍ପଗୁଡ଼ିକର ଦକ୍ଷତା ୨୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।
ଜଳ ସମ୍ପଦର ସଂରକ୍ଷଣ ପାଇଁ ସରକାର ପ୍ରାୟ ୫୦ ହଜାର ହେକ୍ଟର ମିଟର ଜଳ ସଂରକ୍ଷଣ ପାଇଁ ବିଭିନ୍ନ ନଦୀରେ ୪୬ଟି ଜଳପ୍ରବାହ ସଂରକ୍ଷଣ ଢାଞ୍ଚା ପାଇଁ ୫ ବର୍ଷ ମଧ୍ୟରେ ୧୧,୭୦୦ କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାବ୍ୟତୀତ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଜଳ ସଂରକ୍ଷଣ ପଦକ୍ଷେପ ଯୋଗୁଁ ରାଜ୍ୟର ଭୂତଳ ଜଳ ସମ୍ପଦ ୧୭.୨୬ ବିଲିୟନ ଘନମିଟରକୁ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟକୁ ଏହି ପୁରସ୍କାର ପ୍ରଦାନ କରାଯିବ, ଯାହାର ତାରିଖ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।