ଜି-୭ ଶିଖର ସମ୍ମିଳନୀରେ ନରେନ୍ଦ୍ର ମୋଦି
ଜାପାନର ହିରୋସିମାରେ ଜି-୭ ଶିଖର ସମ୍ମିଳନୀପାଇଁ ଯିବେ ମୋଦି
୧୯୭୪ ପରେ ପ୍ରଥମ ଥର ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ହିରୋସିମା: ହିରୋସିମା ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମେ ୧୯ରୁ ୨୧ ମଧ୍ୟରେ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରୁ ହିରୋସିମା ଅଭିମୁଖେ ଯାତ୍ରା କରିଥିଲେ। ୧୯୭୪ ମସିହାରେ ପୋଖରାନରେ ଭାରତ ପରମାଣୁ ପରୀକ୍ଷଣ କରିବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଜାପାନ ସହର ଗସ୍ତ ହେବ। ୧୯୪୫ରେ ପରମାଣୁ ବୋମା ଆକ୍ରମଣର ଶିକାର ହୋଇଥିବା ହିରୋସିମା ଗସ୍ତରେ ଆସିଥିବା ଶେଷ ଭାରତୀୟ ପ୍ରଧାନମନ୍ତ୍ରୀ ଥିଲେ ୧୯୫୭ରେ ଜବାହରଲାଲ ନେହେରୁ।
ହିରୋସିମାରେ ମୋଦିଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ କାରଣ ପରମାଣୁ ଅପ୍ରସାରଣ ଚୁକ୍ତି (ଏନପିଟି) ସ୍ୱାକ୍ଷର କରିନଥିବା ଅଳ୍ପ କିଛି ଦେଶ ମଧ୍ୟରୁ ଭାରତ ଅନ୍ୟତମ। ଜି-୭ ନେତାଙ୍କ ସହ ସେ ଆକ୍ରମଣରେ ପୀଡ଼ିତ ଓ ବଞ୍ଚିଥିବା ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ ଶାନ୍ତି ସ୍ମାରକୀ ପାର୍କ ପରିଦର୍ଶନ କରିବେ।
ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ହିରୋସି ଏଫ୍ ସୁଜୁକି କହିଛନ୍ତି ଯେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଚାହୁଁଛନ୍ତି ଯେ ମୋଦୀ ହିରୋସିମାରେ ହେବାକୁ ଥିବା ବୈଠକରେ ଜି-୭ ନେତାମାନଙ୍କୁ ବୁଝାନ୍ତୁ, ସେ ‘ଗ୍ଲୋବାଲ୍ ସାଉଥ୍ର ସ୍ୱର’ ଭାବରେ ଖାଦ୍ୟ ନିରାପତ୍ତା ସମେତ ବୈଶ୍ୱିକ ଆହ୍ୱାନ ସମ୍ପର୍କରେ ଜି-୨୦ ଶିଖର ସମ୍ମିଳନୀ ପାଇଁ ଏଜେଣ୍ଡାରେ କ’ଣ ରଖିବାକୁ ଚାହୁଁଛନ୍ତି।