‘ମହାଭାରତ’ର ଶକୁନି ମାମା ତଥା ଗୁଫି ପେଣ୍ଟାଲଙ୍କ ପରଲୋକ

ବରିଷ୍ଠ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ସରବଜିତ ସିଂହ ଓରଫ ଗୁଫି ପେଣ୍ଟାଲଙ୍କର ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ସୋମବାର ପରଲୋକ ଘଟିଛି

ଗୁଫିଙ୍କୁ ମୃତ୍ୟୁ ବେଳକୁ ୭୮ ବର୍ଷ ବୟସ ହୋଇଥିଲା

ମୁମ୍ବାଇ: ବରିଷ୍ଠ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ସରବଜିତ ସିଂହ ଓରଫ ଗୁଫି ପେଣ୍ଟାଲଙ୍କର ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ସୋମବାର ପରଲୋକ ଘଟିଛି। ସ୍ୱର୍ଗତ ବି.ଆର ଚୋପ୍ରାଙ୍କ ଦ୍ୱାରା ମେଗା-ଟେଲି ସିରିଏଲ ‘ମହାଭାରତ’ (୧୯୮୮-୧୯୯୦)ରେ ଚତୁର ‘ଶକୁନି ମାମା’ ଭୂମିକାରେ ଅଭିନୟ କରିଥିବା ଗୁଫିଙ୍କୁ ମୃତ୍ୟୁ ବେଳକୁ ୭୮ ବର୍ଷ ବୟସ ହୋଇଥିଲା।
ଗତ ସପ୍ତାହରେ ତାଙ୍କ ଭଣଜା ତଥା ଅଭିନେତା ହିତେନ ପେଣ୍ଟାଲ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କ ମାମୁଁ ଗୁଫି ଗୁରୁତର ଅଛନ୍ତି ଏବଂ ହୃଦୟ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ପାଇଁ ତାଙ୍କୁ ଅନ୍ଧେରୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଜୀବନ ସହ ସଂଘର୍ଷ ବିଫଳ ହେବା ପରେ ଗୁଫି ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି, ଯାହା କି ରବିବାର କିମ୍ବଦନ୍ତୀ ଅଭିନେତ୍ରୀ ସୁଲୋଚନା ଲଟକରଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଦ୍ୱିତୀୟ ବଡ଼ ବଲିଉଡ ଟ୍ରାଜେଡି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଚକିତ କରିଛି ।୧୯୪୪ ମସିହା ଅକ୍ଟୋବର ୪ ତାରିଖରେ ପଞ୍ଜାବର ତୀର୍ଥନଗରୀ ତରନତାରନରେ ଜନ୍ମଗ୍ରହଣ କରିଥିବା ସେ ‘ରଫୁ ଚକ୍କର’, ‘ଦିଲ୍ଲାଗି’, ‘ଦେସ ପରଦେଶ’, ‘ସୁହାଗ’ ଆଦି ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ।