କଳାବ୍ୟାଣ୍ଡ ପିନ୍ଧି ଟ୍ରେନ ଟ୍ରାଜେଡି କ୍ଷତିଗ୍ରସ୍ତଙ୍କୁ ଡବ୍ଲୁଟିସିର ଶ୍ରଦ୍ଧାଞ୍ଜଳି

ଓଡ଼ିଶା ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ଆରମ୍ଭ ହେବା ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ଦଳ ତଥା ମ୍ୟାଚ୍ ଅଫିସିଆଲ ମାନେ କଳାବ୍ୟାଣ୍ଡ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

ରେଳ ଦୁର୍ଘଟଣାରେ ପୀଡ଼ିତଙ୍କ ସ୍ମୃତିରେ ପଡ଼ିଆରେ ସମସ୍ତେ ଏକ ମିନିଟ୍ ନୀରବତା ଅବଲମ୍ବନ

ଲଣ୍ଡନ : ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ୍ ଆରମ୍ଭ ହେବା ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ଦଳ ତଥା ମ୍ୟାଚ୍ ଅଫିସିଆଲ୍ମାନେ କଳାବ୍ୟାଣ୍ଡ୍ ପିନ୍ଧି ଓଡ଼ିଶା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିବା ଦେଖିବାକୁ ମିଳିଥିଲା।
ଜାତୀୟ ସଙ୍ଗୀତ ପୂର୍ବରୁ ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ରେଳ ଷ୍ଟେସନ ନିକଟରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାରେ ପୀଡ଼ିତଙ୍କ ସ୍ମୃତିରେ ପଡ଼ିଆରେ ସମସ୍ତେ ଏକ ମିନିଟ୍ ନୀରବତା ଅବଲମ୍ବନ କରିଥିଲେ।

ଗତ ଶୁକ୍ରବାର ୩ଟି ଟ୍ରେନ୍ ମୁହାଁମୁହିଁ ଧକ୍କାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି, ଯାହାକୁ ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ସବୁଠାରୁ ଭୟଙ୍କର ଟ୍ରେନ୍ ବିପର୍ଯ୍ୟୟ ଭାବେ ବିବେଚନା କରାଯାଉଛି। ତେଣୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ବିବୃତ୍ତିରେ କହିଛି ଯେ, ଦଳ ଶୋକ ପ୍ରକାଶ କରିବା ସହ ଦୁଃଖଦ ଭାବେ ପ୍ରାଣ ହରାଇଥିବା ସମସ୍ତଙ୍କ ପରିବାର ଓ ବନ୍ଧୁମାନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।