ଡ୍ରାଇଭରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ
ମୋଟରଯାନ ଡ୍ରାଇଭର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ ଅନୁକମ୍ପା ମୂଳକ ରାଶି ଭାବେ ଏଣିକି ମିଳିବ ୪ ଲକ୍ଷ ଟଙ୍କା
ଗୁରୁତର ଆହତଙ୍କୁ ୮୦ ହଜାର, ସ୍ଥାୟୀ ଭାବେ ଅକ୍ଷମଙ୍କୁ ଦେଢ ଲକ୍ଷ ଏବଂ ସ୍ୱାଭାବିକ ମୃତ୍ୟୁ ହେଲେ ୨ ଲକ୍ଷ
ଭୁବନେଶ୍ୱର: ମୋଟରଯାନ ଡ୍ରାଇଭର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ ଅନୁକମ୍ପା ମୂଳକ ରାଶି ଭାବେ ଏଣିକି ମିଳିବ ୪ ଲକ୍ଷ ଟଙ୍କା । ଦୁର୍ଘଟଣାରେ ଗୁରୁତର ଆହତ ହେଲେ ୮୦ ହଜାର ଟଙ୍କାର ସହାୟତା ରାଶି ଏବଂ ଦୁର୍ଘଟଣାରେ ଅଘାତ ପାଇ ସ୍ଥାୟୀ ଭାବେ ଅକ୍ଷମ ହେଲେ ଦେଢ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ । ସେହିପରି ସ୍ୱାଭାବିକ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏ ନେଇ ଓଡିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ପାଇବା ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ମନ୍ତ୍ରୀ ଟୁକୁନି ସାହୁଙ୍କ କହିବାନୁସାରେ, ମୋଟରଯାନ ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏକ କଲ୍ୟାଣ ବୋର୍ଡ ଗଠନ କରାଯିବ । ଏହି ପ୍ରତିନିଧି ବୋର୍ଡରେ ସଦସ୍ୟ ଭାବେ ସରକାରୀ ଅଧିକାରୀଙ୍କ ସହ ମୋଟରଯାନ ଡ୍ରାଇଭର ଏବଂ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ରହିବେ । ଏହି ବୋର୍ଡ ଜରିଆରେ ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କୁ ସହାୟତା ମିଳିବା ସହ ଯୋଗ୍ୟତା ଅନୁସାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ମଧୁବାବୁ ପେନସନ୍ ଯୋଜନାରେ ମଧ୍ୟ ସେମାନଙ୍କୁ ସାମିଲ କରାଯିବ । ତେବେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ୫ ଲକ୍ଷରୁ ଉଦ୍ଧ୍ୱର୍ ମୋଟରଯାନ ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀମାନେ ଉପକୃତ ହୋଇପାରିବେ ।