ତ୍ରିପୁରା ରଥଯାତ୍ରା ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ତ୍ରିପୁରାର କୁମାରଘାଟ ଅଞ୍ଚଳରେ ରଥଯାତ୍ରା ବେଳେ ବିଦ୍ୟୁତ୍ ଆଘାତରେ ୭ ଜଣଙ୍କ ମୃତ୍ୟୁ ଘଟିବା ସହ ୧୬ ଜଣ ଆହତ ହୋଇଥିଲେ।

୨ ଲକ୍ଷର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ତ୍ରିପୁରା: ତ୍ରିପୁରାର କୁମାରଘାଟ ଅଞ୍ଚଳରେ ରଥଯାତ୍ରା ବେଳେ ବିଦ୍ୟୁତ୍ ଆଘାତରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହା ଏକ ଦୁଃଖଦ ଘଟଣା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନାନୁଯାୟୀ, ବୁଧବାର ତ୍ରିପୁରାର ଉନାକୋଟି ଜିଲ୍ଲାର କୁମାରଘାଟରେ ରଥଯାତ୍ରା ଶୋଭାଯାତ୍ରା ବେଳେ ରଥ ଟାଣିବା। ବେଳେ ଓଭରହେଡ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଆହତ ୫ ଜଣ ଶ୍ରଦ୍ଧାଳୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଲୁହାରେ ନିର୍ମିତ ରଥର ପତାକା ଅପରାହ୍ନ ପ୍ରାୟ ୪ଟା ୪୫ ମିନିଟ୍ ରେ ୩୩ କେଭି ଓଭରହେଡ୍ ବିଦ୍ୟୁତ୍ ଲାଇନକୁ ସ୍ପର୍ଶ କରିଥିବା ବେଳେ ଭକ୍ତମାନେ ରଥକୁ ଅଟକାଇବାକୁ ଥିବା ସ୍ଥାନରୁ ବହୁ ଦୂରକୁ ଟାଣି ନେଇଥିଲେ। ବିଦ୍ୟୁତ୍ ଆଘାତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି।