ଗୁପ୍ତେଶ୍ୱର ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୨୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ପୀଠର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି

୫-ଟି ଅଧିନରେ ହେବ ମନ୍ଦିରର ବିକାଶମୂଳକ କାର୍ଯ୍ୟ

କୋରାପୁଟ: କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ପୀଠର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମନ୍ଦିରର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟକରଣ କରାଯିବା ଲକ୍ଷ୍ୟ ରଖାଯାଇଛି। ୫-ଟି ଅଧିନରେ ମନ୍ଦିରର ବିକାଶମୂଳକ କାମ ହେବା ସହ ମନ୍ଦିର ଚତୁଃପାର୍ଶ୍ଵରେ ବୃକ୍ଷରୋପଣ କରାଯିବ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଗତ ଫେବ୍ରୁଆରି ୩ ତାରିଖରେ କୋରାପୁଟ ଗସ୍ତ ସମୟରେ ଗୁପ୍ତେଶ୍ୱର ମନ୍ଦିର ପରିଦର୍ଶନ କରି ମନ୍ଦିର ପୂଜାରୀ, କମିଟି ସଦସ୍ୟ, ଜନପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ପାଣ୍ଡିଆନ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲ୍ଲାପାଳଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଟଙ୍କା ମଞ୍ଜୁର କରିଛନ୍ତି। ମନ୍ଦିରର ମୁଖ୍ୟ ରାସ୍ତାର ଉନ୍ନତିକରଣ, ଭକ୍ତଙ୍କ ପାଇଁ ଫୁଟପାଥ୍, ମନ୍ଦିର ପ୍ରବେଶ ପଥର ସୌନ୍ଦର୍ଯ୍ୟକରଣ, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ପାନୀୟ ଜଳ ଓ ଶୌଚାଳୟ, ଗୁମ୍ଫା ଆଲୋକୀକରଣ, ଶବରୀ ନଦୀ କୂଳର ସୌନ୍ଦର୍ଯ୍ୟକରଣ, ମନ୍ଦିର ପାଖରେ ଭକ୍ତଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ନୂତନ ଦୋକାନ ନିର୍ମାଣ ଆଦି ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ। ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ, ଐତିହାସିକ ଓ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ ହେବ ପୀଠ। ତେଣୁ ମନ୍ଦିରର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ନକରି ଉନ୍ନତିକରଣ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।