ବାହାନଗା ରେଳ ଦୁର୍ଘଟଣା: ୭ ରେଳ କର୍ମଚାରୀ ନିଲମ୍ବିତ

ବାହାନଗା ରେଳ ଦୁର୍ଘଟଣା ଘଟଣାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି

ପୂର୍ବରୁ ୩ ଗିରଫ

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ଘଟଣାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହି ୭ ଜଣ କର୍ମଚାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ସିବିଆଇ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ସିବିଆଇ ପଚରାଉଚରା କରିଥିବା ବେଳେ ଆଜି ସେମାନଙ୍କ ରିମାଣ୍ଡ ଅବଧି ସରିଛି। କିନ୍ତୁ ଆହୁରି ଅଧିକ ପଚରାଉଚରା ପାଇଁ ସିବିଆଇ ପୁଣି ଥରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ବୋଲି ସୂଚନା ମିଳିଛି।

ବାହାନଗା ରେଳ ଦୁର୍ଘଟଣାର ତଦନ୍ତ ଚାଲିଥିବା ବେଳେ ସିବିଆଇ ୩ ଜଣଙ୍କୁ ରିମାଣ୍ଡରେ ନେଇଛି ଓ ଆଉ ଦୁଇ ଜଣ ରେଳ କର୍ମଚାରୀଙ୍କୁ ଅଧିକ ପଚରାଉଚରା ପାଇଁ ଡକାଇଛି। ଅନ୍ୟ ୩ ଜଣଙ୍କୁ ମଧ୍ୟ ନିଜ କାର୍ଯ୍ୟାଳୟକୁ ଡକାଇଛି, ଯାହା ପରେ ସେମାନଙ୍କୁ ଗିରଫ କରିବାର ସମ୍ଭାବନା ରହିଛି।

୨୦୨୩ ଜୁନ୍ ୨ ତାରିଖରେ ବାହାନଗା ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣା ଘଟିଥିଲା। ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍, ଶାଲିମାର-ଚେନ୍ନାଇ କୋରୋମଣ୍ଡଳ ଏକ୍ସପ୍ରେସ୍ ଏବଂ ଏକ ମାଲବାହୀ ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିଲେ।