ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି

ଆସନ୍ତା ଜୁଲାଇ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଇଏମଡି

ଏସ୍ଆରସି ପକ୍ଷରୁ ଆଡଭାଇଜରି ଜାରି

ଭୁବନେଶ୍ବର: ଆସନ୍ତା ଜୁଲାଇ ୧୬ରେ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଇଏମଡି। ରାଜ୍ୟରେ ପ୍ରବଳ ବର୍ଷା ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ତେଣୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଏ ନେଇ ଏସ୍ଆରସି ସ୍ପେଶାଲ ଆଡଭାଇଜରି ଜାରି କରିଛନ୍ତି।

ଏସ୍ଆରସିଙ୍କ ଆଡଭାଇଜରି ମୁତାବକ,

କ୍ଷେତ୍ରସ୍ତରୀୟ କର୍ମକର୍ତ୍ତାମାନଙ୍କୁ ଆକସ୍ମିକ ବନ୍ୟା/ ଜଳବନ୍ଦୀ ସତର୍କତା ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ପଡିବ ଓ କାର୍ଯ୍ୟାଳୟ ଛାଡିବ ନାହିଁ।

ସହରାଞ୍ଚଳରେ ତଳିଆ ଅଂଚଳରେ ଜଳବନ୍ଦୀ ହେବା ସହ ରାସ୍ତା/ଡ୍ରେନ୍ ପାଣିରେ ବୁଡ଼ି ଯାଇପାରେ। ପ୍ରବଳ ବର୍ଷା ହେଲେ ତଳିଆ ଅଞ୍ଚଳର ଲୋକଙ୍କୁ ଅସ୍ଥାୟୀ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରେ।

ସହରରେ ଡ୍ରେନରେ ପର୍ଯ୍ୟାପ୍ତ ପରିମାଣର ଜଳ ନିଷ୍କାସନ ପମ୍ପ ଆଗୁଆ ରଖିବାକୁ ପଡିବ।

ଜଳମଗ୍ନ ରାସ୍ତାରେ ଯାନବାହନ ଚଳାଚଳକୁ ନିୟନ୍ତ୍ରଣ କରାଯିବ।

ଜଳବନ୍ଦୀ ସନ୍ଦେହରେ ତଳିଆ ଅଂଚଳରେ ଜେନେରେଟର ସହ ପାଣି ପମ୍ପ ପ୍ରି-ପୋଜିସନ୍ କରି ଆଗୁଆ ପାଣି ନିଷ୍କାସନ ପଦକ୍ଷେପ ନେବେ।

ନଦୀ/ କେନାଲ ବନ୍ଧରେ ଦୁର୍ବଳ/ ସମ୍ବେଦନଶୀଳ ସ୍ଥାନଗୁଡ଼ିକର ତଦାରଖ ସୁନିଶ୍ଚିତ କରନ୍ତୁ। ଏଭଳି ସ୍ଥାନରେ ବନ୍ୟା ମୁକାବିଲା ସାମଗ୍ରୀକୁ ଆଗୁଆ ରଖନ୍ତୁ।

ବର୍ଷା/ବନ୍ୟା ଜଳର ମୁକ୍ତ ପ୍ରବାହ ପାଇଁ ଡ୍ରେନେଜ୍ କ୍ଲିୟରାନ୍ସ ସୁନିଶ୍ଚିତ କରାଯିବା ଜରୁରୀ ।