ସିଜିଏଲ୍ ପ୍ରଶ୍ନପତ୍ର ଲିକ୍ ଉଦ୍ୟମ: ୯ ଗିରଫ

ଏସଏସସି ଦ୍ୱାରା ପରିଚାଳିତ ସିଜିଏଲର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପାଇଁ ଚୁକ୍ତି କରିବାକୁ ଚେଷ୍ଟା କରୁଥିବା ୯ ଜଣଙ୍କୁ ବାଲେଶ୍ୱର ପୋଲିସ ରବିବାର ଗିରଫ କରିଛି

୪ଟି କାର୍, ୨ଟି ଭ୍ୟାନ, ଗୋଟିଏ ବସ୍ ଜବତ

ବାଲେଶ୍ୱର: ଷ୍ଟାଫ୍ ସିଲେକ୍ସନ କମିଶନ (ଏସଏସସି) ଦ୍ୱାରା ପରିଚାଳିତ ମିଳିତ ସ୍ନାତକ ସ୍ତର (ସିଜିଏଲ)ର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପାଇଁ ଚୁକ୍ତି କରିବାକୁ ଚେଷ୍ଟା କରୁଥିବା ୯ ଜଣଙ୍କୁ ବାଲେଶ୍ୱର ପୋଲିସ ରବିବାର ଗିରଫ କରିଛି।

ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଥିବା ଦୀଘା ବେଳାଭୂମି ନିକଟରେ ଥିବା ଏକ ହୋଟେଲରେ ୨୦ ଜଣିଆ ପୁଲିସ ଟିମ୍ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଟିମ୍ ମୋବାଇଲ୍ ଫୋନ୍, ୪ଟି କାର୍, ୨ଟି ଟ୍ରାଭେଲିଂ ଭ୍ୟାନ୍ ଓ ଗୋଟିଏ ବସ୍ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୀଘାର ଏକ ହୋଟେଲରେ ଷ୍ଟାଫ୍ ସିଲେକ୍ସନ କମିଶନଙ୍କ ସିଜିଏଲ୍ ପରୀକ୍ଷାର ପ୍ରଶ୍ନପତ୍ର ୮୮ ଜଣ ପରୀକ୍ଷାର୍ଥୀଙ୍କୁ ଲିକ୍ କରିବାକୁ ଉଦ୍ୟମ କରୁଥିବା ବେଳେ ଦୀଘାର ଜଣେ ମହିଳାଙ୍କ ସମେତ ଅଭିଯୁକ୍ତମାନଙ୍କୁ ସାଇବର ଓ ତଳସାରୀ ସାମୁଦ୍ରିକ ପୁଲିସ ଅଟକ ରଖିଥିଲା। ପ୍ରଶ୍ନପତ୍ର ରାକେଟର କିଙ୍ଗପିନ୍ ଭୁବନେଶ୍ୱରର ବୋଲି କୁହାଯାଉଥିଲେ ହେଁ ପୁଲିସ ଏପର୍ଯ୍ୟନ୍ତ ତାର ପରିଚୟ ପ୍ରକାଶ କରିନାହିଁ।