ଭୁବନେଶ୍ବରସ୍ଥିତ ଏନସିବି କାର୍ଯ୍ୟାଳୟ ଉଦଘାଟନ କଲେ ଅମିତ ଶାହ

ଆଜି ଭୁବନେଶ୍ୱରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଭୁବନେଶ୍ବରରେ ପୂର୍ଣ୍ଣାଙ୍ଗ ଜୋନରେ ପରିଣତ ଏନସିବି

ଭୁବନେଶ୍ବର: ଆଜି ଭୁବନେଶ୍ୱରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପୂର୍ବରୁ ଏନସିବି ଭୁବନେଶ୍ବର ଜୋନାଲ ୟୁନିଟ୍ କୋଲକାତା ଅଧୀନରେ ସବ୍ ଜୋନ୍ ଭାବେ କାର୍ଯ୍ୟ କରୁଥିଲା ବେଳେ ଏବେ ଏହାକୁ ଭୁବନେଶ୍ବରରେ ପୂର୍ଣ୍ଣାଙ୍ଗ ଜୋନରେ ପରିଣତ କରାଯାଇଛି, ଯାହା ସମଗ୍ର ଓଡ଼ିଶା ପାଇଁ କାର୍ଯ୍ୟ କରିବ। ବର୍ତ୍ତମାନ ମାତ୍ର ୧୫ ଜଣ ଥିବା କର୍ମଚାରୀ ସଂଖ୍ୟା ଆଗାମୀ ପର୍ଯ୍ୟାୟରେ ୧୦୦କୁ ବୃଦ୍ଧି କରାଯିବାର ଲକ୍ଷ୍ୟ କରାଯାଇଛି।

ଶାହ କହିଛନ୍ତି, ଡ୍ରଗ୍ସ କାରବାର ବିରୋଧରେ ୨୦୦୬-୧୩ରେ ମୋଟ ୧୨୫୦ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୪-୨୩ ସୁଦ୍ଧା ୩୭୦୦ ମାମଲା ରୁଜୁ ହୋଇଛି। ପୂର୍ବରୁ ୧.୫୨ ଲକ୍ଷ କେଜି ଡ୍ରଗ୍ସ ଜବତ ହୋଇଥିବା ବେଳେ ଆଜି ଏହା ୩.୯୪ ଲକ୍ଷ କେଜି ରହିଛି, ଯାହା କି ୧୬୦% ବୃଦ୍ଧି ଦର୍ଶାଉଛି। ରାଜ୍ୟ ଡ୍ରଗ୍ସ କାରବାର ବିରୋଧରେ ଅଭିଯାନ ମାଧ୍ୟମରେ ୨,୩୭୮ କୋଟି ଟଙ୍କାର ଡ୍ରଗ୍ସ ନଷ୍ଟ କରିବାରେ ଆଜି ସଫଳ ହୋଇଛି। ତେଣୁ ରାଜ୍ୟ ଓ ଏନସିବିକୁ ଧନ୍ୟବାଦ ଜଣାଉଛି।
ସେହିପରି ନିଶାମୁକ୍ତ ଦେଶ ତଥା ଓଡ଼ିଶା ପାଇଁ ମଧ୍ୟ ଆମେ କାମ କରିବୁ ବୋଲି ଏନସିବି ଭୁବନେଶ୍ୱର ଜୋନାଲ ଡାଇରେକ୍ଟର ରାଜେଶ ଶୁକ୍ଳା କହିଛନ୍ତି।