ସାଉଦି ଆରବ କ୍ରାଉନ ପ୍ରିନ୍ସଙ୍କ ସହ ମୋଦିଙ୍କ ଦ୍ୱିପାକ୍ଷିକ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲ ଅଜିଜ୍ ଅଲ୍ ସୌଦଙ୍କ ମଧ୍ୟରେ ଆଜି ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

୩ ଦିନିଆ ଭାରତ ଗସ୍ତରେ ଥିଲେ ପ୍ରିନ୍ସ

ନୂଆଦିଲ୍ଲୀ,୧୧/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କ୍ରାଉନ ପ୍ରିନ୍ସ ତଥା ସାଉଦି ଆରବର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲ ଅଜିଜ୍ ଅଲ୍ ସୌଦଙ୍କ ମଧ୍ୟରେ ଆଜି ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଉଭୟ ନେତା ରଣନୈତିକ ଭାଗିଦାରୀ ପରିଷଦର ପ୍ରଥମ ଲିଡର୍ସ ମିଟିଙ୍ଗରେ ସହ-ଅଧ୍ୟକ୍ଷତା କରିବେ ।
ବୈଠକର କାର୍ଯ୍ୟସୂଚୀର ଏକ ଅଂଶ ଭାବରେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ସାଉଦୀ ଆରବ କ୍ରାଉନ ପ୍ରିନ୍ସ ରଣନୈତିକ ଭାଗିଦାରୀ ପରିଷଦର ଦୁଇଟି ମନ୍ତ୍ରୀସ୍ତରୀୟ କମିଟି, ରାଜନୈତିକ, ନିରାପତା, ସାମାଜିକ ଏବଂ ସାଂସ୍କୃତିକ ସହଯୋଗ କମିଟି ଏବଂ ଅର୍ଥନୀତି ଏବଂ ନିବେଶ ସହଯୋଗ କମିଟି ଅଧୀନରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବେ । ପ୍ରତିରକ୍ଷା, ରାଜନୈତିକ, ନିରାପତା, ବାଣିଜ୍ୟ ଏବଂ ଅର୍ଥନୈତିକ, ସାଂସ୍କୃତିକ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସମେତ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଉପରେ ଆଲୋଚନା କରାଯିବା ସହ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ଆଂଚଳିକ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ସାଉଦି ଆରବ କ୍ରାଉନ ପ୍ରିନ୍ସ ଆଜି ରାତି ୮ଟାରେ ଦିଲ୍ଲୀ ଛାଡିବେ । ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ପ୍ରିନ୍ସ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ତିନି ଦିନିଆ ଭାରତ ଗସ୍ତରେ ଥିଲେ ।