ଅଗ୍ନିପଥ ଯୋଜନାର ଘୋଷଣା: ଏଣିକି ସେନାରେ ୪ ବର୍ଷ ପାଇଁ ଚାକିରି

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ୩ ସେନାର ମୁଖ୍ୟଙ୍କ ଉପସ୍ଥିତରେ ନୂଆ ଯୋଜନାର ଶୁଭାରମ୍ଭ ଘୋଷଣା ହୋଇଛି । ସେନାରେ ୪ ବର୍ଷ ପାଇଁ ସୈନିକଙ୍କ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ଅଗ୍ନିପଥ ଯୋଜନାର ସେ ଘୋଷଣା କରିଛନ୍ତି । ସେନାକୁ ଆସିବାକୁ ଚାହୁଁଥିବା ଯୁବକଙ୍କୁ ଅଗ୍ନିପଥ ଯୋଜନା ସୁଯୋଗ ଦେବ । ଏଥିସହ ଚାକିରି ଛାଡିବା ସମୟରେ ସେବା ନିଧି ପ୍ୟାକେଜ୍ ମଧ୍ୟ ମିଳିବ। ଏହି ଯୋଜନାରେ ସେନାରେ ସାମିଲ୍ ଯୁବକଙ୍କୁ ଅଗ୍ନିବୀର କୁହାଯିବ।

ରାଜନାଥ କହିଛନ୍ତି, ଏଥିରେ ଦେଶର ସୁରକ୍ଷା ମଜବୁତ ହେବ ଏବଂ ଯୁବକଙ୍କୁ ରୋଜଗାରର ସୁଯୋଗ ମିଳିବ। ଦେଶର ପ୍ରତିଟି ଯୁବକ ଜୀବନରେ ସେନାରେ ଭର୍ତ୍ତି ହେବାର ସ୍ଵପ୍ନ ଦେଖିଥାନ୍ତି। ଅଗ୍ନିପଥ ଯୋଜନାରେ ରୋଜଗାର ଅବସର ବଢିବ ଏବଂ ଯୁବକଙ୍କୁ ଅନ୍ୟ କ୍ଷେତ୍ରରେ କାମ କରିବାର ସୁଯୋଗ ମଧ୍ୟ ମିଳିବ।

ଅଗ୍ନିପଥ ଯୋଜନା:-
ଯୁବକଙ୍କୁ ଚାରି ବର୍ଷ ପାଇଁ ସେନାରେ ନିଯୁକ୍ତ କରାଯିବ।

ଏହି ସମୟରେ ଅଗ୍ନିବୀରଙ୍କୁ ଆକର୍ଷଣୀୟ ବେତନ ଦିଆଯିବ।

ସେନାର ଚାରି ବର୍ଷ ଚାକିରି ପରେ ଯୁବକଙ୍କ ଭବିଷ୍ୟତ ପାଇଁ ସୁଯୋଗ ଦିଆଯିବ।

ଚାରି ବର୍ଷର ଚାକିରି ପରେ ସେବା ନିଧି ପ୍ୟାକେଜ୍ ମିଳିବ।

ଏହି ଯୋଜନାରେ ନିଯୁକ୍ତ ହେବାକୁ ଥିବା ଅଧିକାଂଶ ଯବାନଙ୍କୁ ଚାରି ବର୍ଷ ପରେ ମୁକ୍ତ କରାଯିବ।

କିଛି ଯବାନ ନିଜ ଚାକିରି ଜାରି ରଖି ପାରିବେ।

୧୭.୫ ବର୍ଷରୁ ୨୧ ବର୍ଷର ଯୁବକଙ୍କୁ ଅଗ୍ନିବୀରରେ ଯୋଗ ଦେବା ପାଇଁ ସୁଯୋଗ ମିଳିବ।

ଟ୍ରେନିଂ ୧୦ ସପ୍ତାହରୁ ୬ ମାସ ପର୍ଯ୍ୟନ୍ତ ଚାଲିବ।

ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ଛାତ୍ର କରି ପାରିବେ ଆବେଦନ।

୯୦ ଦିନରେ ଅଗ୍ନିବୀରଙ୍କୁ ନିଯୁକ୍ତି ମିଳିବ।

ଯଦି କୌଣସି ଅଗ୍ନିବୀର ଦେଶ ସେବା ସମୟରେ ସହିଦ ହୁଅନ୍ତି ତେବେ ତାଙ୍କ ପରିଜନଙ୍କୁ ସେବା ନିଧି ସମେତ ଏକ କୋଟିରୁ ଅଧିକ ଟଙ୍କା ସୁଧ ସମେତ ମିଳିବ। ଏହା ବ୍ୟତୀତ ବାକି ବଞ୍ଚିତିବା ଚାକିରି ସମୟର ମଧ୍ୟ ବେତନ ଦିଆଯିବ।

ଯଦି କୌଣସି ଅଗ୍ନିବୀର ସେବା ସମୟରେ ଅର୍କମଣ୍ୟ ହୋଇଯାଆନ୍ତି ତେବେ ୪୪ ଲକ୍ଷ ଟଙ୍କା ଯାଏଁ ଅର୍ଥ ରାଶି ମିଳିବ। ଏହା ବ୍ୟତୀତ ବାକି ବଞ୍ଚିଥିବା ଚାକିରିର ବେତନ ମଧ୍ୟ ମିଳିବ।

ପୂରା ଦେଶରେ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆଯିବ। ଯେଉଁ ବ୍ୟକ୍ତି ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୁଅନ୍ତି, ସେମାନଙ୍କୁ ଚାରି ବର୍ଷ ପାଇଁ ଚାକିରି ମିଳିବ।

ଦରମା:-

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଅଗ୍ନିପଥ ଯୋଜନା ଆଧାରରେ ଯୁବକଙ୍କୁ ପ୍ରଥମ ବର୍ଷ ୪.୭୬ ଲକ୍ଷ ବାର୍ଷିକ ପ୍ୟାକେଜ୍ ମିଳିବ। ଚତୁର୍ଥ ବର୍ଷ ବେଳକୁ ଏହା ବଢି ବାର୍ଷିକ ୬.୯୨ ଲକ୍ଷରେ ପହଞ୍ଚିବ। ଚାରି ବର୍ଷର ଚାକିରି ପରେ ଯୁବକଙ୍କୁ ୧୧.୭ ଲକ୍ଷ ଟଙ୍କାର ସେବା ନିଧି ପ୍ୟାକେଜ୍ ମିଳିବ। ଏହା ଉପରେ କୌଣସି ଟ୍ୟାକ୍ସ ଲାଗିବ ନାହିଁ।