ଅଧିବେଶନ ଛୋଟ କିନ୍ତୁ ସୁଯୋଗ ବଡ: ମୋଦି

ଆଜିଠୁ ଆରମ୍ଭ ହୋଇଛି ସଂସଦର ପାଂଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ।

ଆରମ୍ଭ ହେଲା ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ,୧୮/୦୯: ଆଜିଠୁ ଆରମ୍ଭ ହୋଇଛି ସଂସଦର ପାଂଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଂଚିବା ପରେ କହିଛନ୍ତି, ଏହା ଏକ ଐତିହାସିକ ଘଟଣାର ଅଧିବେଶନ । ଅଧିବେଶନକୁ ସର୍ବାଧିକ ସମୟ ଦେବାକୁ ସେ ଗୃହର ସମସ୍ତ ସଦସ୍ୟଙ୍କୁ କହିଛନ୍ତି । ଏହି ପାଂଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଛୋଟ ହେଇପାରେ କିନ୍ତୁ ଏକ ବଡ ସୁଯୋଗ ଆଣିବ । ଦେଶରେ ଉତ୍ସବ ଓ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି । ଦେଶ ଏକ ନୂଆ ଆତ୍ମବିଶ୍ୱାସ ଅନୁଭବ କରୁଛି ବୋଲି ମୋଦି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଆଜିଠୁ ଆରମ୍ଭ ହୋଇଥିବା ଅଧିବେଶନ ସଂସଦର ପୁରୁଣା ଭବନରେ ଆରମ୍ଭ ହେବ ଏବଂ ଆସନ୍ତାକାଲି ଠାରୁ ନୂଆ ସଂସଂଦ ଭବନକୁ ସ୍ଥାନାନ୍ତର ହେବ । ଏ ସମ୍ପର୍କରେ ମୋଦି କହିଛନ୍ତି, ପୁରୁଣା ଭବନରୁ ବିଦାୟ ଆତ୍ୟନ୍ତ ଭାବପୂର୍ଣ୍ଣ ମୁହୂର୍ତ । ପୁରୁଣା ଭବନରେ ହୋଇଥିବା ଆତଙ୍କବାଦୀ ହାମଲାକୁ ଆଜି ବି ଦେଶ ମନେ ରଖିଛି । ଏହି ଆକ୍ରମଣ ସଂସଦ ଭବନରେ ନୁହେଁ, ବରଂ ଆମ ଜୀବାତ୍ମା ଉପରେ ଆକ୍ରମଣ ହୋଇଥିଲା । ନୂଆ ସଂସଦ ଭବନକୁ ଗଲେ ବି ଏହା ଆମକୁ ପ୍ରେରଣା ଦେବ । ପୁରୁଣା ସଂସଦ ଭବନରେ ଅନେକ ତିକ୍ତ-ମଧୁର ସମ୍ପର୍କ ରହିଛି । ମତଭେଦ ଓ ବିବାଦ ମଧ୍ୟ ରହିଛି; କିନ୍ତୁ ଏସବୁ ଭିତରେ ଆମ ଭିତରେ ପରିବାରବାଦ ରହିଛି । ପଣ୍ଡିତ ନେହେରୁଙ୍କ କହିଥିବା ଶବ୍ଦ ଆଜି ବି ରାସ୍ତା ଦେଖାଏ ଏବଂ ବାଜପେୟୀଙ୍କ ଅଭିଭାଷଣ ଆଜି ବି ସତେଜ ରହିଛି । କାଲିଠାରୁ ନୂଆ ସଂସଦ ଭବନରେ କାର୍ଯ୍ୟ ଆରମ୍ଭ ହେବ । ସଂସଦରେ ଗୃହ ପରିଚାଳନା କରୁଥିବା ଅଧ୍ୟକ୍ଷଙ୍କୁ ମୋ ତରଫରୁ ଅଶେଷ କୃତଜ୍ଞତା ରହିଛି ।