କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ଭାରତ

ଭାରତ ବିରୋଧି କାର୍ଯ୍ୟକଳାପ ଅଭିଯୋଗରେ ଭାରତ କାନାଡାର କୂଡଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି ।

୫ ଦିନ ଭିତରେ ଦେଶ ଛାଡିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯/୦୯: ଚଳିତ ବର୍ଷ ଜୁନ ମାସରେ ଜଣେ ଖଲିସ୍ତାନ ସମର୍ଥକ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ ଭାରତ ସରକାରଙ୍କୁ ଦାୟୀ କରିଛନ୍ତି କାନାଡା ସରକାର । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କାନାଡା ସଂସଦରେ ମନ୍ତବ୍ୟ ଦେଇଥିଲେ ଯେ, ଜୁନ ମାସରେ ଖଲିସ୍ତାନୀ ନେତା ହରଦୀପ ସିଂ ନିଜାରଙ୍କୁ ହତ୍ୟା କରିବା ଏବଂ ଭାରତ ସରକାରଙ୍କ ଏଜେଂଟମାନଙ୍କ ମଧ୍ୟରେ ସମ୍ଭାବ୍ୟ ଲିଙ୍କ ଥିବା ବିଶ୍ୱସନୀୟ ଅଭିଯୋଗ ରହିଛି । କାନାଡା ମାଟିରେ ଜଣେ କାନାଡା ନାଗରିକଙ୍କୁ ହତ୍ୟା ଘଟଣାରେ ବିଦେଶୀ ସରକାରଙ୍କ ସମ୍ପୃକ୍ତି ଆମ ସାର୍ବଭୌମତ୍ୱର ଅଗ୍ରହଣୀୟ ଉଲ୍ଲଂଘନ ବୋଲି ସେ କହିଛନ୍ତି । ସଂସଦରେ ଟ୍ରୁଡୋଙ୍କ ମନ୍ତବ୍ୟ ପରେ କାନାଡା ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି ଜଣେ ବରିଷ୍ଠ ଭାରତୀୟ କୂଟନୀତିଜ୍ଞ ପୱନ କୁମାରଙ୍କୁ କାନାଡାରୁ ବହିଷ୍କାର କରିଛନ୍ତି । ପୱନ କୁମାର ଭାରତର ଗବେଷଣା ଏବଂ ବିଶ୍ଳେଷଣ ୱିଙ୍ଗ (ର’) ର ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି ।
ତେବେ କାନାଡାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଭାରତ ସରକାର । ବୈଦେଶିକ ମନ୍ତ୍ରଣାଳୟ ଏକ ସରକାରୀ ବିବୃତିରେ କହିଛି ଯେ, ଆମେ ସେମାନଙ୍କ ସଂସଦରେ କାନାଡା ପ୍ରଧାନମନ୍ତ୍ରୀଙ୍କ ବୟାନ ଏବଂ ସେମାନଙ୍କ ବୈଦେଶିକ ମନ୍ତ୍ରୀଙ୍କ ବୟାନ ଦେଖିଛୁ ଏବଂ ପ୍ରତ୍ୟାଖାନ କରୁଛୁ । କାନାଡାରେ ଯେକୌଣସି ହିଂସାକାଣ୍ଡରେ ଭାରତ ସରକାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଅଯଥା ଓ ଉଦ୍ଦେଶ୍ୟମୂଳକ । ଏଭଳି ଭିତିହୀନ ଅଭିଯୋଗ ଖଲିସ୍ତାନୀ ଆତଙ୍କବାଦୀ ଏବଂ ଉଗ୍ରବାଦୀଙ୍କଠାରୁ ଧ୍ୟାନ ହଟାଇବାକୁ ଚାହୁଁଛି, ଯେଉଁମାନଙ୍କୁ କାନାଡାରେ ଆଶ୍ରୟ ଦିଆଯାଇଛି ଏବଂ ଭାରତର ସାର୍ବଭୌମତ୍ୱ ଏବଂ ଆଂଚଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି । ଏହା ସହ ଭାରତରେ ଅବସ୍ଥାପିତ କାନାଡାର ହାଇ କମିଶନରଙ୍କୁ ଆଜି ଡକାଯାଇ କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପାଇଁ ଭାରତ ସରକାରଙ୍କ ନିଷ୍ପତିକୁ ଅବଗତ କରାଇଛନ୍ତି । ହସ୍ତକ୍ଷେପ ଏବଂ ଭାରତ ବିରୋଧି କାର୍ଯ୍ୟକଳାପ ଅଭିଯୋଗରେ ଭାରତ କାନାଡାର କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହ ୫ ଦିନ ଭିତରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ।