ନୂପୁର ଶର୍ମାଙ୍କୁ ଆଶ୍ୱସ୍ତି, ଅଗଷ୍ଟ ୧୦ ଯାଏଁ ଗିରଫଦାରୀ ଉପରେ ରୋକ

ନୂଆଦିଲ୍ଲୀ: ବିଜେପିରୁ ନିଲମ୍ୱିତ ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ଅଗଷ୍ଟ ୧୦ ଯାଏଁ ନୂପୁରଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି, ତାଙ୍କ ବିରୋଧରେ ରୁଜୁ ମାମଲା ଉପରେ କୌଣସି ବଡ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ କୋର୍ଟ କହିଛନ୍ତି । ଏପରି ସ୍ଥିତିରେ ବିଭିନ୍ନ ହାଇକୋର୍ଟ ଯାଇପାରିବେ ନାହିଁ ଏବଂ ତାଙ୍କ ଜୀବନର ସୁରକ୍ଷା କରିବା ଆମର କର୍ତ୍ତବ୍ୟ ବୋଲି କୋର୍ଟ କହିଛନ୍ତି ।

ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏପରି ଅନେକ ଘଟଣା ସାମନାକୁ ଆସିଛି ଯେଉଁଥିରେ ନୂପୁର ଶର୍ମାଙ୍କୁ ଧମକ ଦିଆଯାଇଛି । ଏଥିରେ ଆଜମେର ସରିଫର ସଲମାନ ଚିସ୍ତିର ବୟାନ ଏବଂ ୟୁପିର ଜଣେ ନାଗରିକ ମଧ୍ୟ ନୂପୁରଙ୍କ ଧମକ ଦେଇଥିଲେ । ପଶ୍ଚିମବଙ୍ଗରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ କୋଲକାତା ପୋଲିସ ତାଙ୍କ ବିରୋଧରେ ଲୁକ୍ ଆଉଟ ନୋଟିସ ଜାରି କରିଛି । ତେବେ ଏପରି ସ୍ଥିତିରେ ସେ ହାଇକୋର୍ଟ ଯିବାକୁ ସକ୍ଷମ ନୁହନ୍ତି ।