୮ ଭାରତୀୟଙ୍କ ଫାଶୀ ଦଣ୍ଡାଦେଶକୁ ହ୍ରାସ କଲେ କତାର ଅପିଲ୍ କୋର୍ଟ

କତାରରେ ଦିଆ ଯାଇଥିବା ୮ ଜଣ ଭାରତୀୟଙ୍କ ଫାଶୀ ଦଣ୍ଡାଦେଶକୁ କତାର ଅପିଲ କୋର୍ଟ ହ୍ରାସ କରିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା

ନୂଆଦିଲ୍ଲୀ, ୨୮/୧୨/୨୩: ଅକ୍ଟୋବର ୨୬ରେ କତାର କୋର୍ଟ ଇସ୍ରାଏଲ ତରଫରୁ ବୁଡ଼ାଜାହାଜ କାର୍ଯ୍ୟକ୍ରମ ଉପରେ ଗୁପ୍ତଚର କରିବା ଅଭିଯୋଗରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ସେମାନେ ଦୋହାସ୍ଥିତ ଏକ ଘରୋଇ ପ୍ରତିରକ୍ଷା ସେବା ପ୍ରଦାନକାରୀ ସଂସ୍ଥା ଅଲ୍ ଦହରାରେ କାମ କରୁଥିଲେ।

ଏବେ ସେହି ୮ ଜଣ ଭାରତୀୟଙ୍କ ଫାଶୀ ଦଣ୍ଡାଦେଶକୁ ହ୍ରାସ କରିଛନ୍ତି କତାର ଅପିଲ କୋର୍ଟ। ଏ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜି ସୂଚନା ମିଳିଛି। ମନ୍ତ୍ରଣାଳୟ କହିଛି ଯେ, “ଦହରା ଗ୍ଲୋବାଲ ମାମଲାରେ କତାରର କୋର୍ଟ ଅଫ୍ ଆପିଲର ରାୟକୁ ଆମେ ଆଜି ଅନୁଧ୍ୟାନ କରିଛୁ, ଯେଉଁଥିରେ ଦଣ୍ଡାଦେଶ ହ୍ରାସ କରାଯାଇଛି। ବିସ୍ତୃତ ରାୟକୁ ଅପେକ୍ଷା କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଏକ ଗଣମାଧ୍ୟମ ବିଜ୍ଞପ୍ତିରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କ୍ୟାପଟେନ୍ ନବତେଜ ସିଂହ ଗିଲ୍, କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ୍ ସୌରଭ ବଶିଷ୍ଠ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁନାକର ପକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା ଏବଂ ନାବିକ ରାଗେଶଙ୍କୁ କତାର ଗୁଇନ୍ଦା ବିଭାଗ ୨୦୨୨ ଅଗଷ୍ଟ ୩୦ ତାରିଖରେ ଦୋହାରୁ ଗିରଫ କରିଥିଲା।ଗୁପ୍ତଚର ଭାବେ କାର୍ଯ୍ୟ କରୁଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରା ଯାଇଥିଲା ଏବଂ ପରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଘୋଷଣା କରା ଯାଇଥିଲା। ସେମାନଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ବିରୋଧରେ ଭାରତ ପକ୍ଷରୁ ଏକ ଆବେଦନ କରାଯାଇଥିଲା।