ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବ ବିଜେଡି

୨୦୨୪ ନିର୍ବାଚନରେ ଓଡ଼ିଶାରେ ଐତିହାସିକ ବିଜୟ ହାସଲ କରିବ ବୋଲି ବିଜେଡି ଦାବି କରିଛି।

ନବୀନଙ୍କୁ ସିଏମ ଭାବେ ଚାହୁଁଛନ୍ତି ୪ କୋଟି ଓଡ଼ିଆ: ପ୍ରଣବ

ଭୁବନେଶ୍ବର, ୨୫/୦୨/୨୦୨୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ି ବଢ଼ି ଚାଲିଛି। ନବୀନ ବାବୁଙ୍କୁ ଲଗାତାର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଓଡ଼ିଶାବାସୀ ମନ ସ୍ଥିର କରିସାରିଛନ୍ତି ବୋଲି ବିଜୁ ଜନତା ଦଳ (ବିଜେଡି) ରବିବାର ଦାବି କରିଛି।

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦଳର ବିଜୟ ସୁନିଶ୍ଚିତ ବୋଲି ଏକ୍ସରେ କହିଛନ୍ତି ଯେ, “ବିଗତ କିଛି ବର୍ଷ ଧରି ଜାତୀୟସ୍ତରର ସବୁ ସର୍ଭେ ରିପୋର୍ଟ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିବାର ଗୈାରବ ପ୍ରଦାନ କରିଛି। ସେହିଭଳି ୨୦୨୨ ପଂଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ ହାର ସାଙ୍ଗକୁ ୩୦ ଜିଲ୍ଲା ପରିଷଦରେ ବିଜେଡିକୁ ଜିତାଇ, ବିଜୁ ଜନତା ଦଳ ଯେ ଓଡ଼ିଶାର ୧ ନମ୍ବର ରାଜନୈତିକ ଦଳ, ଓଡ଼ିଶାବାସୀ ତାହା ପ୍ରମାଣିତ କରିଛନ୍ତି। ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲପାଇବାକୁ ପ୍ରତିପାଦିତ କରୁଛି । ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ ଦଳ ପାଖରେ ପ୍ରାପ୍ତ ହୋଇଛି। ଅତ୍ୟନ୍ତ ଖୁସିର କଥା ଯେ, ବହୁ ସଂଖ୍ୟକ ପେଶାଦାର ବ୍ୟକ୍ତି ଏବଂ ଜାତୀୟ ରାଜନୈତିକ ଦଳମାନଙ୍କର ନେତାମାନେ ମଧ୍ୟ ବିଜେଡି ଟିକେଟ ପାଇଁ ଆବେଦନ କରୁଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ଐତିହାସିକ ବିଜୟ ନିଶ୍ଚିତ ବୋଲି ପ୍ରଣବ କହିଛନ୍ତି।