ଶଙ୍ଖରୁ ବିଦାୟ ନେଲେ ପଦ୍ମରେ ସ୍ୱାଗତ କଲେ

ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି।

ଇସ୍ତଫାର କିଛି ଘଣ୍ଟାରେ ଦଳ ବଦଳାଇଲେ ପୂର୍ବତନ ବିଧାୟକ

ଭୁବନେଶ୍ବର, ୨୫/୦୨/୨୦୨୪: ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ବରୀରୁ ପ୍ରତିନିଧିତ୍ୱ କରିଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଶାସକ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ ଥର ବିଧାୟକ ଥିଲେ ଦେବାଶିଷ।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପୂର୍ବତନ ମନ୍ତ୍ରୀ ବିଜେଡିର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପତ୍ରରେ କୌଣସି କାରଣ ନ ଦର୍ଶାଇ ଶଙ୍ଖ ଛାଡିବାର କିଛି ଘଣ୍ଟା ପରେ ଦେବାଶିଷ ରବିବାର ବିଜେପି କାର୍ଯ୍ୟାଳୟରେ ବିଜେପି ଓଡ଼ିଶା ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ‘ମିଶ୍ରଣ ପର୍ବ’ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

ବିଜେପିରେ ସାମିଲ୍ ପରେ ବିଜେଡି ଉପରେ ବର୍ଷିଛନ୍ତି ଦେବାଶିଷ। ଦେବାଶିଷ କହିଛନ୍ତି, ଦଳରେ ତାମିଲ୍ ଶାସନ ଚାଲିଛି। ପୂର୍ବରୁ ଦଳ ଯେଭଳି ଥିଲା, ଆଉ ସେଭଳି ହୋଇ ରହିନି। ବିଜେଡ଼ି ଅନୁଭବ କରି ସାରିଲାଣି, ତାର ଆଉ ଭୋଟ୍ ନାହିଁ। ତେଣୁ ବିଭିନ୍ନ ଦଳରୁ ଲୋକଙ୍କୁ ଆମଦାନୀ କରୁଛି ବିଜେଡ଼ି।