ଖରାରେ କାମ କରିବେନି ଶ୍ରମିକ

ଶ୍ରମ ଓ କର୍ମଚାରୀ ରାଜ୍ୟ ବିଭାଗ ପକ୍ଷରୁ ଶ୍ରମିକମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି।

ଅଂଶୁଘାତକୁ ଏଡାଇବା ପାଇଁ ପଦକ୍ଷେପ

ଭୁବନେଶ୍ୱର, ୦୫/୦୪/୨୦୨୪: ରାଜ୍ୟରେ ପ୍ରବଳ ତାତି ସହ ଗୁଳୁଗୁଳି ଅନୁଭୂତ ହେଉଛି। ବାହାରକୁ ବାହାରିବା ଅସମ୍ଭବ ହୋଇଯାଉଛି। ଦିନ ୧୧ଟାରୁ ସାଢେ ୩ଟା ଯାଏଁ ଅସହ୍ୟ କରୁଛି ତାତି। ଏହି ସମୟରେ ଶ୍ରମିକମାନଙ୍କୁ କାମ କରିବାକୁ ବାରଣ କରିଛି ଶ୍ରମ ଓ କର୍ମଚାରୀ ରାଜ୍ୟ ବିଭାଗ। ପ୍ରବଳ ଖଳାକୁ ଦୃଷ୍ଟିରେ ରଖି ଏହି ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ।

ନିର୍ଦ୍ଦେଶାନୁଯାୟୀ, ରୌଦ୍ରତାପ ଜନିତ ଅଂଶୁଘାତକୁ ଏଡାଇବା ପାଇଁ ଦିନ ୧୧ଟାରୁ ସାଢେ ୩ଟା ଯାଏଁ ବାହାରେ ଶ୍ରମିକମାନେ କାମ କରିବେ ନାହିଁ। ଚଳିତ ଏପ୍ରିଲରୁ ଜୁନ ୧୫ ଯାଏଁ ଶ୍ରମିକଙ୍କୁ କାମରେ ଲଗାଇବେ ନାହିଁ କୌଣସି ସରକାରୀ ଓ ବେସରକାରୀ ନିଯୁକ୍ତି ସଂସ୍ଥା। ଯଦି କୌଣସି ସଂସ୍ଥା ଶ୍ରମିକଙ୍କୁ କାମରେ ଲଗାନ୍ତି ତାହାଲେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯିବ। ବିଧିବଦ୍ଧ ଭାବେ ସମୟରେ ପରିବର୍ତ୍ତନ କରିବେ। ଯଥେଷ୍ଟ ଛାଇ ଓ ପ୍ରଚୁର ପାନୀୟ ଜଳର ବ୍ୟବସ୍ଥା କରିବେ। ସ୍ୱାସ୍ଥ୍ୟସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା କରାଇବେ। ପ୍ରତି ଶ୍ରମିକଙ୍କ ପାଇଁ ଓଆରଏସ ପ୍ୟାକେଟ ରଖିବେ। ସେହିପରି ଖରା ଯୋଗୁଁ ସମ୍ଭାବ୍ୟ ମୁକାବିଲା ପାଇଁ ଡାକ୍ତରଖାନାଗୁଡିକୁ ମଧ୍ୟ ଆଗୁଆ ସଜାଇ ହୋଇ ରହିବାକୁ ପଡିବ।