ରାସ୍ତାକୁ ନେଇ ରାଜନୀତି

ଏନ୍ଏଚ୍ ୫୫କୁ ନେଇ ଚିନ୍ତା ପ୍ରକଟ କଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।

ପ୍ରଣବ-ଧର୍ମେନ୍ଦ୍ର ବାକ୍ ଯୁଦ୍ଧ

ଭୁବନେଶ୍ବର, ୧୮/୦୪/୨୦୨୪: ରାଜ୍ୟର ଏକ ପ୍ରମୁଖ ରାଜପଥ ଏନ୍ଏଚ୍-୫୫। ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା। ଏନ୍ଏଚ୍ ୫୫ର ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଗତ କିଛି ଦିନ ଧରି ରାଜ୍ୟରେ ରାସ୍ତାର ଅତ୍ୟନ୍ତ ଶୋଚନୀୟ ଅବସ୍ଥା ଦେଖି ପ୍ରଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ କଥା କଟାକଟି ହେଉଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଉଭୟ ଉଭୟଙ୍କୁ ଯୁକ୍ତି ବାଢୁଛନ୍ତି।

ସେହିଭଳି ଆଜି ଏନ୍ଏଚ୍ ୫୫ର ଶୋଚନୀୟ ଅବସ୍ଥା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ପ୍ରଣବ। ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ସେ କହିଛନ୍ତି, ରାଜ୍ୟରେ ବିଜୁ ଏକ୍ସପ୍ରେସ୍ ୱେ ଦେଶର ଅନ୍ୟତମ ଶ୍ରେଷ୍ଠ ରାସ୍ତା ହୋଇଥିବା ବେଳେ ଏନ୍ଏଚ୍ ୫୫ର କାମ ଗତ ୧୦ ବର୍ଷ ପୂର୍ବରୁ ଆରମ୍ଭ ହେଲେ ମଧ୍ୟ ଶେଷ ହେଉନାହିଁ। ଏନ୍ଏଚ୍ ୫୫ରେ ଗତ ୫ ବର୍ଷରେ ୪୦୦ରୁ ଅଧିକ ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏହି ରାସ୍ତାର ଏପରି ବିପର୍ଯ୍ୟସ୍ତ ଅବସ୍ଥା ପାଇଁ ସମ୍ବଲପୁରବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।