ତତଲା ପିଣ୍ଡ ପାଲଟିଛି ସାରା ଓଡ଼ିଶା

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି। ୪୦ ଡିଗ୍ରୀ ଉପରେ ଡେଇଁପାରେ ପାରଦ।

ଆଗକୁ ଆହୁରି ଜଳାଇବ: ୧୮ଟି ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂରେ

ଭୁବନେଶ୍ବର, ୧୯/୦୪/୨୦୨୪: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଆକାଶରୁ ହେଉଛି ଅଗ୍ନି ବର୍ଷା। ଖାଲି ଗରମ ହାୱା ବହୁନି ବରଂ ତତଲା ପିଣ୍ଡରେ ସିଝି ହେଲା ଭଳି ଲାଗୁଛି। ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଏତେ ଜୋର ବୃଦ୍ଧି ପାଉଛି ଯେ ନା ଘରେ ରହି ହେଉଛି ନା ବାହାରେ ଖରା ସହି ହେଉଛି। ଆଗକୁ ଆହୁରି ବୃଦ୍ଧି ପାଇବ ଗ୍ରୀଷ୍ମ ପ୍ରବାହ। ଆଜି ରାଜ୍ୟର ୧୮ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆଞ୍ଚଳିକ କାର୍ଯ୍ୟାଳୟ। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଏମିତି ପାଗ ରହିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ସେହିପରି ରାଜ୍ୟର ଅନେକ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି।

ପୂର୍ବାନୁମାନ ଅନୁଯାୟୀ, ମୟୂରଭଞ୍ଜ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ, ବୌଦ୍ଧ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଗଞ୍ଜାମ, ନୂଆପଡ଼ା, ମାଲକାନଗିରି, କୋରାପୁଟ, ଗଜପତି, କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା, ବରଗଡ଼ ଓ କଳାହାଣ୍ଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।