ପ୍ରବଳ ଖରା: ସକାଳୁ ୩୫ ଡିଗ୍ରୀ

ସକାଳ ସାଢେ ୮ଟା ସୁଦ୍ଧା ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି।

ଆହୁରି ଭୟଙ୍କର ହେବ ତାତି

ଭୁବନେଶ୍ବର, ୨୦/୦୪/୨୦୨୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଗତ କାଲି ୩୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ମଧ୍ୟ ସମାନ ଅବସ୍ଥା ପୂର୍ବାନୁମାନ କରିଛି ଆଇଏମଡି। ଶନିବାର ସକାଳ ସାଢ଼େ ୮ଟା ସୁଦ୍ଧା ଓଡ଼ିଶାର ଅନେକ ସ୍ଥାନରେ ପାରଦ ୩୨ ଡିଗ୍ରି ଅତିକ୍ରମ କରିଛି।

ସୂଚନା ଅନୁଯାୟୀ, ସକାଳ ସାଢ଼େ ୮ଟା ସୁଦ୍ଧା ଭବାନୀପାଟଣାରେ ୩୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ୩୪.୨ ଡିଗ୍ରୀ ସେଲସିୟସ ଏବଂ ରାଉରକେଲା, କଟକ, ବାରିପଦା, କେନ୍ଦୁଝର ଝାରସୁଗୁଡ଼ା ଓ ବାଲେଶ୍ୱରରେ ୩୩ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଟିଟିଲାଗଡ଼ ୩୨.୪, ଭୁବନେଶ୍ୱର ୩୨.୨, ତାଳଚେର ୩୨.୨, ଭଦ୍ରକ ୩୧.୪, ନୂଆପଡ଼ା ୩୧.୪ ଓ ଜଗତସିଂହପୁର ୩୧.୪ ଡିଗ୍ରୀ ତାପମାତ୍ରା ରହିଛି। ସର୍ବାଧିକ ସହରରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିବାର ପରିଲକ୍ଷିତ ହୋଇଛି।

ଆସନ୍ତାକାଲି କାଳବୈଶାଖୀ ହେବାର ସମ୍ଭାବନା ରହିଛି। ତେଣୁ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମି ପାରେ। ଯାହା ଫଳରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। କାଳବୈଶାଖୀ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।