ଭାରତର ସତ୍ୟ ଓ ଅହିଂସା ବାର୍ତ୍ତା ବିଶ୍ୱରେ ଅସ୍ଥିରତାର ସମାଧାନ: ମୋଦି

ବିଶ୍ୱରେ ସଙ୍କଟ ଦେଖା ଯାଉଥିବା ସମୟରେ ଆଧ୍ୟାତ୍ମିକ ଜୈନ ଗୁରୁ ତୀର୍ଥଙ୍କରଙ୍କ ଶିକ୍ଷା ଅଧିକ ପ୍ରାସଙ୍ଗିକ ଅଟେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

୨୫୫୦ତମ ମହାବୀର ନିର୍ବାଣ ମହୋତ୍ସବ ପାଳିତ

ନୂଆଦିଲ୍ଲୀ, ୨୧/୦୪/୨୦୨୪: ବିଶ୍ୱରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ସତ୍ୟ ଓ ଅହିଂସାର ମନ୍ତ୍ରକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପିତ କରୁଛି ଭାରତ। ବିଶ୍ୱରେ ଶାନ୍ତିର ପଥକୁ ଅନୁସରଣ କରିବା ପାଇଁ ଭାରତର ବଢୁଥିବା ଶକ୍ତି ଓ ବୈଦେଶିକ ନୀତି ସାହାଯ୍ୟ କରୁଛି। ଭାରତର ସାଂସ୍କୃତିକ ଭାବମୂର୍ତ୍ତି ମଧ୍ୟ ଏକ ବଡ ଭୂମିକା ଗ୍ରହଣ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ରବିବାର ୨୫୫୦ତମ ଭଗବାନ ମହାବୀର ନିର୍ବାଣ ମହୋତ୍ସବକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ କେବଳ ସର୍ବପୁରାତନ ଜୀବିତ ସଭ୍ୟତା ନୁହେଁ ବରଂ ମାନବିକତା ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ। ବିଶ୍ୱରେ ସଙ୍କଟ ଦେଖା ଯାଉଥିବା ସମୟରେ ଆଧ୍ୟାତ୍ମିକ ଜୈନ ଗୁରୁ ତୀର୍ଥଙ୍କରଙ୍କ ଶିକ୍ଷା ଅଧିକ ପ୍ରାସଙ୍ଗିକ ଅଟେ। ଭଗବାନ ମହାବୀରଙ୍କ ଶାନ୍ତି, କରୁଣା ଓ ଭାଇଚାରାର ବାର୍ତ୍ତା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଅଟେ।

ଏହା ସହ ମୋଦି ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଆହୁରି ମଧ୍ୟ କହିଛନ୍ତି ଯେ,ଏବେ ଗଣତନ୍ତ୍ରର ଏକ ବଡ଼ ପର୍ବ ଅନୁଷ୍ଠିତ ହେଉଛି। ଏଠାରୁ ଭବିଷ୍ୟତରେ ଏକ ନୂତନ ଯାତ୍ରା ମଧ୍ୟ ଆରମ୍ଭ ହେବ ବୋଲି ଦେଶ ବିଶ୍ୱାସ କରେ। ଦେଶ ବର୍ତ୍ତମାନ ନିରାଶାରେ ବୁଡି ରହିଥିବା ବେଳେ ଭାରତୀୟ ଜନତା ପାର୍ଟି ଯୋଗ ଓ ଆୟୁର୍ବେଦ ଭଳି ଐତିହ୍ୟ ଓ ଭୌତିକ ବିକାଶକୁ ଗୁରୁତ୍ୱ ଦେଉଛି। ସାଧୁ ସନ୍ଥମାନଙ୍କର ପଦ୍ମ ସହ ସଂଯୋଗ ରହିଛି, ଯାହା ପବିତ୍ର ସ୍ଥାନରେ ବ୍ୟବହାର ହୋଇଥାଏ ଏବଂ ବିଜେପିର ଦଳୀୟ ଚିହ୍ନ ମଧ୍ୟ ପଦ୍ମ। ଦେଶର ଅମୃତ କାଳ ସମୟରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନିହାତି ପ୍ରଥମ ଘଟଣା। ଅମୃତ କାଳ’ର ଧାରଣା କେବଳ ଏକ ସଂକଳ୍ପ ନୁହେଁ ବରଂ ଭାରତର ଆଧ୍ୟାତ୍ମିକ ପ୍ରେରଣା ବୋଲି ମୋଦି କହିଛନ୍ତି।