ଏପ୍ରିଲ ୨୫ରୁ ଖରା ଛୁଟି

ଆସନ୍ତା ଏପ୍ରିଲ ୨୫ ତାରିଖରୁ ଗ୍ରୀଷ୍ମ ଛୁଟି ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

କାଲିଠୁ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏ ପାଠପଢ଼ା

ଭୁବନେଶ୍ବର, ୨୧/୦୪/୨୦୨୪: ପ୍ରବଳ ଖରାରେ ସିଝୁଛି ସାରା ଓଡ଼ିଶା। କିଛି ଦିନ ଧରି ପ୍ରଚଣ୍ଡ ତାତିରେ ବାହାରକୁ ବାହାରିବା ଅସମ୍ଭବପର ହୋଇପଡ଼ିଛି। ତାପମାତ୍ରା ୪୦ ଡିଗ୍ରୀ ପାର କରି ଯାଉଛି। ଏପରି ପରିସ୍ଥିତିରେ ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ସ୍କୁଲ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଆସନ୍ତା ଏପ୍ରିଲ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଇଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡିକୁ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ସେହିପରି ଏପ୍ରିଲ ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ ବୋଲି ସୂଚନା ମିଳିଛି।