ଆସନ ହାତେଇବାକୁ କସରତ

ଆସନ୍ତା ମେ ୩ ତାରିଖରେ ପୁଣି ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି।

ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ବର, ୨୯/୦୪/୨୦୨୪: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ଆସନ ହାତେଇବା ପାଇଁ ଜୋରସୋର କସରତ କରିବା ଆରମ୍ଭ କରି ଦେଇଛନ୍ତି। ବିଜେଡି ବିଜେପି କଂଗ୍ରେସ ତିନି ଦଳର ଶୀର୍ଷ ନେତୃତ୍ୱ ଭୋଟରଙ୍କୁ ମନେଇବାକୁ ପଛଘୁଞ୍ଚା ଦେଉନାହାନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅମିତ ଶାହ ମଧ୍ୟ ଓଡ଼ିଶାରେ ବିଭିନ୍ନ ଜନସମାବେଶରେ ଯୋଗ ଦେଇଥିଲେ। ସେପଟେ ଗତ କିଛି ମାସ ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧି ତିନି ଥର ଓଡ଼ିଶା ଗସ୍ତରେ ଆସି ସାରିଲେଣି। ସେହିପରି ପୁଣି ଥରେ ରାହୁଲ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି।

ଆସନ୍ତା ମେ ୩ ତାରିଖରେ ପୁଣି ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ରାହୁଲ ରାୟଗଡ଼ାର ଏକ ଜନ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ସୂଚନା ଅନୁଯାୟୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମଧ୍ୟ ଓଡ଼ିଶା ଆସିବେ। ପ୍ରିୟଙ୍କା ମେ ୫ କିମ୍ଵା ୯ ତାରିଖରେ ନବରଙ୍ଗପୁରରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ।