ନବୀନଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀ ତାଜୁବ

ଭଞ୍ଜନଗରରେ ବିଜେଡିର ବରିଷ୍ଠ ନେତା କାର୍ତିକ ପାଣ୍ଡିଆନ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ।

ଭଞ୍ଜନଗରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଭୁବନେଶ୍ବର, ୦୩/୦୫/୨୦୨୪: ନବୀନଙ୍କ ପ୍ରତି ଥିବା ଜନତାଙ୍କ ସମର୍ଥନ ଦେଖି ବିରୋଧୀ ମାନେ ବାଚାଳାମୀ କରୁଛନ୍ତି। ଓଡିଶାର ସବୁ ବିକାଶ କାମକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ବନ୍ଦ କରିବାକୁ ଚଲାଇଛନ୍ତି ବିଧିବଦ୍ଧ ଯୋଜନା। ଚକ୍ରାନ୍ତ କରି ମା’ ମାନଙ୍କ ଦୁବାଇ ଯିବା ବନ୍ଦ କରିଦେଲେ। ସେମାନେ ଶାସକ ଦଳର ବିରୋଧୀ ନୁହନ୍ତି, ବିକାଶ ବିରୋଧୀ। ଭଞ୍ଜନଗରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସମୟରେ ବିରୋଧୀ ଉପରେ ପ୍ରବଳ ବର୍ଷିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବା ସହ ବିରୋଧୀ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି।

ପାଣ୍ଡିଆନ କହିଛନ୍ତି, ବିରୋଧୀଙ୍କୁ ମୁଁ ଆହ୍ବାନ କରୁଛି, ସେମାନେ ଆସି ଦେଖନ୍ତୁ ନବୀନ ବାବୁଙ୍କ ପ୍ରତି କିପରି ରହିଛି ଜନ ସମର୍ଥନ, କିପରି ଅଛି ଭଲ ପାଇବା, ଏତେ ଖରାରେ ମଧ୍ୟ ଏ ବିଶାଳ ଜନସମୁଦ୍ର ଦେଖିଲେ ସେମାନେ ଠିକ୍‌ ବୁଝିପାରିବେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ରାଜ୍ୟବାସୀଙ୍କ ଅଗାଢ ଭଲପାଇବା ରହିଛି। ମୁଖ୍ଯମନ୍ତ୍ରୀ ମଧ୍ୟ ଭଞ୍ଜନଗରବାସୀଙ୍କୁ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ୬୦ କୋଟି ଟଙ୍କାର କାମ ଚାଲିଛି। ଜଗନ୍ନାଥ ମନ୍ଦିର, ମା ବ୍ୟାଘ୍ରଦେବୀ ମନ୍ଦିର ପାଇଁ ୧ କୋଟି ୮୦ ଲକ୍ଷ, ଧବଳେଶ୍ବର ମନ୍ଦିର ପାଇଁ ୧.୧୦ କୋଟି, ୧୨୦ଟି ମନ୍ଦିର, ମସ୍‌ଜିଦ, କମ୍ୟୁନିଟି ସେଣ୍ଟର ବିକାଶ ପାଇଁ ୫.୫୦ କୋଟି, ଋଷିକୂଲ୍ୟା ନଦୀର ନୂଆ ଗାଁ ଡିଷ୍ଟ୍ରିବ୍ୟୁଟାରି ପାଇଁ ୮୦ କୋଟି, ଢୋଲପିଟା ନଦୀଗର୍ଭ ଜଳାଶ୍ରୟ ପ୍ରକଳ୍ପ ପାଇଁ ୩୦.୬୦ କୋଟି, ଷୋଡକ ମାଇନର ଓ ସବ୍‌ ମାଇନର କେନାଲରେ କଂକ୍ରୀଟ ଲାଇନିଂ ପାଇଁ ୬ କୋଟି ଏବଂ ଭଞ୍ଜନଗର, ଜଗନ୍ନାଥପ୍ରସାଦ ବ୍ଲକ୍‌ର ୪୬ଟି ଗ୍ରାମପଞ୍ଚାୟତକୁ ମେଗା ପାଇପ ଜଳଯୋଗାଣ ପାଇଁ ୨୦୦୦ କୋଟି ଟଙ୍କାର କାମ ଚାଲିଛି ବୋଲି ସେ କହିଥିଲେ।