ନବୀନ ପଟ୍ଟନାୟକ ଭଲ କି?

ବିଶାଳ ଜନସମୁଦ୍ର ମଧ୍ୟରେ ନବରଙ୍ଗପୁରରେ ନବୀନଙ୍କ ପ୍ରଚାର। ଠିଆ ହୋଇ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନୀରେ ସଭା ସ୍ଥଳକୁ ପ୍ରକମ୍ପିତ କଲେ। ‘ଆପଣମାନେ ଭଲ ଅଛନ୍ତି ତ?’ ପ୍ରଶ୍ନରେ ଆରମ୍ଭ କଲେ ପ୍ରଚାର, ବିକାଶ ଯୋଜନା ସଂପର୍କରେ ଲୋକଙ୍କୁ ପଚାରିଲେ ପ୍ରଶ୍ନ।

ମୁଖ୍ୟମନ୍ତ୍ରୀଙ୍କ ନିରାଡମ୍ବର ପ୍ରଚାର, ଜିତିଲେ ହୃଦୟ

ଭୁବନେଶ୍ବର, ୦୪.୦୫.୨୪: ରାଜନୀତିରେ ନିଜର ସ୍ବଚ୍ଛ ଓ ସରଳ ଚିନ୍ତାଧାରା ପାଇଁ ସାରା ଦେଶରେ ପ୍ରଶଂସିତ ନବୀନ ପଟ୍ଟନାୟକ ଆଜି କୋରାପୁଟ ପରେ ନବରଙ୍ଗପୁରରେ ମଧ୍ୟ ନିରାଡମ୍ବର ଢଙ୍ଗରେ ନିର୍ବାଚନ ପ୍ରଚାର କରି ଲୋକଙ୍କ ହୃଦୟ ଜିତିଛନ୍ତି।

ନବରଙ୍ଗପୁରର ମାଝୀଗୁଡାଠାରେ ଆୟୋଜିତ ପ୍ରଚାର ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ପଚାରିଥିଲେ, ଆପଣମାନେ ଭଲ ଅଛନ୍ତି ତ? ଏହି ଗୋଟିଏ ପ୍ରଶ୍ନରେ ଉପସ୍ଥିତ ଜନତା ଭାବବିହ୍ବଳ ହୋଇପଡିଥିଲେ। ସମସ୍ତଙ୍କ ହୃଦୟକୁ ଛୁଇଁଥିଲେ ନବୀନ।

ଉପସ୍ଥିତ ବିଶାଳ ଜନସମୁଦ୍ରର ହର୍ଷ ଉଲ୍ଲାସ ଓ କରତାଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ୧୧ଟି ପ୍ରଶ୍ନ। ଆମର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ଚାଲିଛି ? ମମତା ଯୋଜନା ଭଲ ଚାଲିଛି ? ମିଶନ ଶକ୍ତି, ନୂଆ-ଓ ସ୍କଲାରସିପ୍‌, କାଳିଆ ଯୋଜନା, ପୁରୀ ପରିକ୍ରମା ପ୍ରକଳ୍ପ, ଟଙ୍କିକିଆ ଚାଉଳ, ଲକ୍ଷ୍ମୀ ବସ୍‌, ୫-ଟି ସ୍କୁଲ ରୂପାନ୍ତର ଆଦି ସବୁ କାମ ଭଲ ଚାଲିଛି ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ। ପ୍ରତି ପ୍ରଶ୍ନରେ ଜନତାଙ୍କ ଉତ୍ତର ହଁ ବହୁତ ଭଲ ଚାଲିଛିରେ ସଭାସ୍ଥଳୀ ପ୍ରତିଧ୍ବନିତ ହୋଇଥିଲା। ସମସ୍ତେ ବହୁତ ଖୁସି ଓ ଉତ୍ସାହିତ ଥିଲେ।

ଶେଷରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ନବୀନ ପଟ୍ଟନାୟକ ଭଲ କି ? ଏହାପରେ ଭାବବିହ୍ବଳ ଜନତା ଏକ ସ୍ବରରେ କହିଥିଲେ ‘ହଁ’। ଦୀର୍ଘ ସମୟ ଧରି ଏହି ‘ହଁ’ ର ଗୁଞ୍ଜରଣ ସଭାସ୍ଥଳରେ ପ୍ରତିଧ୍ବନିତ ହେଉଥିଲା।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିରୋଧୀ ବିଜେପି ଦଳ ନେତା ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି। ଆପଣମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମାନଙ୍କୁ ଜିତାନ୍ତୁ।

ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଲୋକଙ୍କୁ କହିଥିଲେ ଯେ ଓଡିଶାର ରୂପାନ୍ତରକୁ ଆହୁରି ଆଗେଇ ନେବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରନ୍ତୁ। ସେ ମଧ୍ୟ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ପ୍ରଶ୍ନ ପଚାରି ଲୋକଙ୍କ ମତାମତ ନେଇଥିଲେ। ନବରଙ୍ଗପୁର ନୂଆ ସରକାରୀ କଲେଜ କିଏ କରିଛି। ସ୍ବତନ୍ତ୍ର ଉନ୍ନୟନ ପରିଷଦ କିଏ କରିଛି। ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଅଲେକ ମହିମା ପୀଠ ଆଦିର ରୂପାନ୍ତର କିଏ କରିଛି। ବଡ ବଡ ସେତୁ, ନୂଆ-ଓ ସ୍କଲାରସିପ, ମିଶନ ଶକ୍ତି, କାଳିଆ, ମମତା ଆଦି ଯୋଜନା କିଏ କରିଛି। ସବୁର ଉତ୍ତର ଆସିଥିଲା ନବୀନ ପଟ୍ଟନାୟକ। ଏହାପରେ ଶ୍ରୀ ପାଣ୍ଡିଆନ କହିଥିଲେ ନବୀନ ପଟ୍ଟନାୟକ ଆପଣଙ୍କ ପାଇଁ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି, ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ, ଯୋଡି ଶଙ୍ଖରେ ଭୋଟ ଦିଅନ୍ତୁ।

ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଆଜି ନବରଙ୍ଗପୁରରେ ବିଜୁଳି, ସଡକ, ପାଣି ସୁବ୍ୟବସ୍ଥିତ ହୋଇଛି। ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆସିଛି। ବିଜେପି ଏ ଅଞ୍ଚଳରେ ମିଥ୍ୟା ପ୍ରଚାର ଓ ପ୍ରତିଶୃତିରେ ଲୋକଙ୍କୁ ପୋତି ପକାଇଛନ୍ତି। ସମସ୍ତେ ଜାଣି ରଖିବା ଉଚିତ ଯେ ପରିକ୍ରମ ପ୍ରକଳ୍ପକୁ ବିରୋଧ କରିଥିଲେ ବିଜେପି ନେତା। ପରିକ୍ରମା ପ୍ରକଳ୍ପକୁ ବିରୋଧ ହେଉଛି, ଓଡିଆ ଅସ୍ମିତା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିରୋଧ ବୋଲି ସେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଉମରକୋଟ ବିଧାନସଭା ପ୍ରାର୍ଥୀ ନବିନା ନାୟକ, ଡାବୁଗାଁ ବିଧାନସଭା ପ୍ରାର୍ଥୀ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାନସଭା ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀ, ଝରିଗାଁ ବିଧାନସଭା ପ୍ରାର୍ଥୀ ରମେଶ ମାଝୀ ପ୍ରମୁଖ ନିର୍ବାଚନ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।