ସମୂହ ଇସ୍ତଫା ଦେଲେ ସମୀରଙ୍କ ସମର୍ଥକ

ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସମୀରଙ୍କୁ ଦେଲେ ଇସ୍ତଫା ପତ୍ର।

ବିଶାଳ ସମାବେଶରେ ୪୬ ପଞ୍ଚାୟତର ଶତାଧିକ କର୍ମକର୍ତ୍ତା

ଭୁବନେଶ୍ବର, ୦୪/୦୫/୨୦୨୪: ନିମାପଡ଼ା ବିଜେଡି ମଧ୍ୟରେ ଦେଖା ଦେଉଛି ଗୋଷ୍ଠୀ କନ୍ଦଳ। ନିମାପଡ଼ା ବିଜେଡି ପ୍ରାର୍ଥୀତ୍ୱକୁ ନେଇ ବଢୁଛି ଅସନ୍ତୋଷ। ନିମାପଡ଼ା ଓ ଗୋପ ବ୍ଳକର ସଭାପତି ଓ ନଗର ସଭାପତିଙ୍କ ସହ ବିଭିନ୍ନ କର୍ମକର୍ତ୍ତା ସମୂହ ଇସ୍ତଫା ଦେଇଛନ୍ତି। ୪୬ଟି ପଞ୍ଚାୟତର ପଞ୍ଚାୟତ ସଭାପତି, ଉପସଭାପତି, ୪୧ ସମବାୟ ସମିତି ସଭାପତି ଓ ୫୮ ଜଣ ନିର୍ବାଚିତ ପ୍ରତିନିଧି ଇସ୍ତଫା ଦେଇଛନ୍ତି। ଯୋଗ୍ୟ ପ୍ରାର୍ଥୀଙ୍କୁ ଦଳ ଟିକେଟ ଦେଇନଥିବା ସମୂହ ଇସ୍ତଫାର କାରଣ ଦର୍ଶାଇଛନ୍ତି କର୍ମକର୍ତ୍ତା।

ସୂଚନାଯୋଗ୍ୟ, ନିମାପଡ଼ା ଆସନ ପାଇଁ ପ୍ରଥମେ ବିଜେଡ଼ି ସମୀର ରଞ୍ଜନ ଦାସଙ୍କ ନାମ ଘୋଷଣା କରିଥିବା ବେଳେ ଗତ କିଛି ଦିନ ପୂର୍ବରୁ ବିଜେଡି ପୁନଃ ସଂଶୋଧନ କରି ନିମାପଡ଼ା ଆସନ ପାଇଁ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ଏ ନେଇ ସମୀରଙ୍କ ସମର୍ଥକ ଓ ବିଜେଡ଼ି କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖାଦେଉଛି ଅସନ୍ତୋଷ। ଆଜି ସମୀରଙ୍କ ନେତୃତ୍ୱରେ ନିମାପଡ଼ାରେ ଏକ ବିଶାଳ ସମାବେଶ ହୋଇଥିଲା। ଏଠାରେ ସମୀରଙ୍କ ସମର୍ଥକ ମାନେ ସମୂହ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଦଳର ସଭାପତିଙ୍କ ଉଦ୍ଦେଶ୍ୟରେ ସମୀରଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ସମୀରଙ୍କୁ ପ୍ରାର୍ଥୀ କରିବା ପାଇଁ ଶେଷ ପ୍ରୟାସ କରିଛନ୍ତି ସମର୍ଥକ। ପୂର୍ବରୁ ମଧ୍ୟ ସମୀରଙ୍କ ନେତୃତ୍ୱରେ ୩୦ ହଜାର କର୍ମକର୍ତ୍ତାଙ୍କୁ ନେଇ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା। ପ୍ରାର୍ଥୀ ତାଲିକା ଘୋଷଣା ପରେ ସମୀର ନିଜ ଶକ୍ତି ପ୍ରଦର୍ଶନ କରିଥିଲେ। ସମୀର ବଳ କଷିବା ଛାଡି ନଥିଲେ। ସେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଶକ୍ତି ପ୍ରଦର୍ଶନ କରିଥିଲେ। ହେଲେ, ପୁଣି ଥରେ ତାଙ୍କୁ ନିରାଶ ହେବାକୁ ପଡିଥିଲା।