ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ
ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ମିଳିଛି।
ନିର୍ବାଚନ ପ୍ରଚାରରେ ରହିବନି କଟକଣା
ନୂଆଦିଲ୍ଲୀ, ୧୦/୦୫/୨୦୨୪: ନିର୍ବାଚନ ମାହୋଲ ସରଗରମ ଥିବା ବେଳେ ଆମ ଆଦମୀ ପାର୍ଟି ମୁଖ୍ୟ ସୂତ୍ରଧାର ଖୁବ ଶୀଘ୍ର ଜେଲରୁ ବାହାରିବେ। ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ମାର୍ଚ୍ଚ ୨୧ରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦୁଇ ମାସ ପରେ ମିଳିଲା ଜାମିନ। ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଜାମିନ ପାଇଁ କେଜ୍ରିୱାଲ କରିଥିବା ଆବେଦନର ଶୁଣାଣି କରି ଅନ୍ତରୀଣ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ।
ଗିରଫ ପରେ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି। ନିର୍ବାଚନକୁ ଆଖି ଆଗରେ ରଖି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ନିର୍ବାଚନ ପ୍ରଚାରରେ କୌଣସି ପ୍ରକାର କଟକଣା ଲାଗିବ ନାହିଁ ବୋଲି ସୂଚନା ମିଳିଛି। ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ନିର୍ବାଚନ ପ୍ରଚାର ଦାୟିତ୍ୱ ସମ୍ଭାଳିଛନ୍ତି। କିନ୍ତୁ ଏଯାବତ୍ କେହି ଷ୍ଟାର କ୍ୟାମ୍ପେନର ନଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିବା ନିହାତି ଭାବରେ ଆପ ପାଇଁ ଆଶ୍ୱସ୍ତିକର ବିଷୟ। ତେବେ ଜୁନ ୨ରେ କୋର୍ଟରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତରୀଣ ଜାମିନ ଅବଧି ଶେଷ ହେବା ପରେ କେଜ୍ରିୱାଲଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।