ସେଣ୍ଟ ପିଟର୍ସବର୍ଗ ଗସ୍ତରେ ଯିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

ବ୍ରିକ୍ସ ସଂସଦୀୟ ଫୋରମ ବୈଠକର ନେତୃତ୍ୱ ନେବେ

ନୂଆଦିଲ୍ଲୀ, ୧୦/୦୭: ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଆରମ୍ଭ ହେବାକୁ ଥିବା ଦୁଇ ଦିନିଆ ୧୦ମ ବ୍ରିକ୍ସ ସଂସଦୀୟ ଫୋରମ୍ ବୈଠକରେ ଭାରତୀୟ ସଂସଦୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଜୁଲାଇ ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହେବ ୧୦ମ ବ୍ରିକ୍ସ ସଂସଦୀୟ ଫୋରମ୍ ବୈଠକ। ‘ବିଶ୍ୱର ବିକାଶ ଓ ନିରାପତ୍ତା ପାଇଁ ବହୁପକ୍ଷବାଦକୁ ସୁଦୃଢ଼ କରିବାରେ ସଂସଦର ଭୂମିକା’ ଶୀର୍ଷକ ଉପରେ ଏହି ଫୋରମରେ ଆଲୋଚନା କରାଯିବ।

ଭାରତୀୟ ପ୍ରତିନିଧି ଦଳରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ରାଜ୍ୟସଭା ସାଂସଦ ଶମ୍ଭୁ ଶରଣ ପଟେଲ, ଲୋକସଭା ମହାସଚିବ ଉତ୍ପଳ କୁମାର ସିଂହ ଏବଂ ରାଜ୍ୟସଭା ମହାସଚିବ ପିସି ମୋଦୀ ପ୍ରମୁଖ ଯୋଗ ଦେବେ।

ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା ଅନ୍ୟ ଦେଶର ସଂସଦର ବାଚସ୍ପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସେ ବିଭିନ୍ନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଉପସ୍ଥାପନ କରିବେ ଏବଂ ମସ୍କୋରେ ଭାରତୀୟ ପ୍ରବାସୀଙ୍କୁ ଭେଟିବେ।

ବ୍ରିକ୍ସର ୪ଟି ନୂତନ ସଦସ୍ୟ ଯଥାକ୍ରମେ ଇଜିପ୍ଟ, ଇଥିଓପିଆ, ଇରାନ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ ସମେତ ଅନ୍ୟ ବ୍ରିକ୍ସ ଦେଶମାନେ ଯୋଗ ଦେବେ। ଏହା ବ୍ୟତୀତ ଆଜରବାଇଜାନ, ଆର୍ମେନିଆ, ବେଲାରୁସ୍, କିର୍ଗିଜ ରିପବ୍ଲିକ, ତାଜିକିସ୍ତାନ, ଉଜବେକିସ୍ତାନ ଏବଂ ତୁର୍କମେନିସ୍ତାନ ସମେତ ଅନ୍ୟ ନିମନ୍ତ୍ରିତ ଦେଶର ବକ୍ତା ଏବଂ ସାଂସଦମାନେ ଅଂଶଗ୍ରହଣ କରିବେ।