ରଥ ଉପରେ ମୋବାଇଲ ମନା

ରଥଯାତ୍ରା ସମୟରେ ସେବାୟତଙ୍କ ପାଇଁ ନିର୍ଦ୍ଦିଷ୍ଟ ନିୟମ ପାଳନ ଆଣିଛି ଶ୍ରୀମନ୍ଦିର ପ୍ରଶାସନ।

ଫଟୋ ଉଠାଇଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର, ୧୨/୦୭: ରଥଯାତ୍ରା ସମୟରେ ରଥ ଉପରକୁ ମୋବାଇଲ ଫୋନ ମନା। ଯଦି କେହି ସେବାୟତ ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର କରୁଥିବା କିମ୍ବା ଫଟୋ ଉଠାଉଥିବା ନଜର ଆସନ୍ତି ତାହାଲେ, ଉକ୍ତ ସେବାୟତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନବନିଯୁକ୍ତ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି।

ସେହିପରି ରଥ ଉପରେ ଅନଧିକୃତ ସେବାୟତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଯେଉଁମାନେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ନଥିବେ ସେମାନେ ରଥ ଉପରକୁ ଅନଧିକୃତ ଭାବେ ପ୍ରବେଶ କରି ପାରିବେ ନାହିଁ। ଏହି ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ସେବାୟତଙ୍କ ସହଯୋଗ ଚାହୁଁଛୁ।

କିଛି ଦିନ ତଳେ ବଡ଼ଠାକୁର ବଳଭଦ୍ରଙ୍କ ଆଡପ ପହଣ୍ଡି ସମୟରେ ପଡିଯିବା ପରେ ପଦକ୍ଷେପ ଗ୍ରହଣ କରିଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଡ. ଅରବିନ୍ଦ ପାଢ଼ୀ ଯୋଗ ଦେବା ପରେ ରଥଯାତ୍ରା ସମୟରେ ପାଳନ କରା ଯାଉଥିବା ନିୟମରେ ପରିବର୍ତ୍ତନ ଆଣିଛନ୍ତି। ବାହୁଡ଼ା ଯାତ୍ରା, ଅଧର ପଣା, ନୀଳାଦ୍ରି ବିଜେ ଭଳି ଅନ୍ୟାନ୍ୟ ରୀତିନୀତି କିପରି ଶୃଙ୍ଖଳିତ ଭାବେ ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଡ. ପାଢୀ କହିଛନ୍ତି।