୨୦୨୪-୨୫ ବଜେଟ ହେବ ‘ଲୋକଙ୍କ ବଜେଟ୍’

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ପ୍ରାକ୍ ବଜେଟ୍ ବୈଠକ ଶେଷ ହୋଇଛି।

ବଜେଟ୍ ପାଇଁ ୧୨ହଜାର ମତାମତ ସଂଗ୍ରହ

ଭୁବନେଶ୍ବର, ୧୨/୦୭: ଆସନ୍ତା ଜୁଲାଇ ୨୫ରେ ଉପସ୍ଥାପିତ ହେବାକୁ ଯାଉଛି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍। ଏ ନେଇ ସମାଜର ସବୁ ବର୍ଗଙ୍କଠୁ ନିଆଯାଇଛି ମତାମତ। ବଜେଟକୁ ନେଇ ଶେଷ ହେଲା ସରକାରଙ୍କ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚଳିତ ବଜେଟ୍ ପ୍ରସ୍ତୁତି ପାଇଁ ଲୋକସେବା ଭବନରେ ବୈଠକ ଶେଷ ହୋଇଛି।

ବୈଠକ ପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୨୫ ତାରିଖରେ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ ହେବ। ଲୋକଙ୍କ ଆଶା ପୂରଣ ପାଇଁ ଉଦ୍ୟମ ଜାରି ରହିଛି। ବଜେଟ୍ ପାଇଁ ୧୨ ହଜାର ଲୋକଙ୍କଠାରୁ ମତାମତ ସଂଗ୍ରହ କରାଯାଇଛି। ଲୋକଙ୍କ ସରକାର ଭାବେ ଲୋକଙ୍କୁ ଅଗ୍ରାଧିକାର ଦିଆଯାଇଛି। ବଜେଟ ପ୍ରସ୍ତୁତିରେ ଲୋକଙ୍କ ମତାମତକୁ ଗୁରୁତ୍ବ ଦିଆଯିବ। ଆଗାମୀ ବଜେଟ୍ ନୂତନ ଓଡ଼ିଶା ଗଠନ ପାଇଁ ସହାୟକ ହେବ। ସବୁ ବର୍ଗଙ୍କ ଆଶା ଓ ଆକାଂକ୍ଷାକୁ ବଜେଟ୍ ମାଧ୍ୟମରେ ପ୍ରତିଫଳିତ କରିବା ପାଇଁ ଆମର ପ୍ରୟାସ ଜାରି ରହିଛି।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ତାଙ୍କର ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଓ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟତମ ପ୍ରମୁଖ ବ୍ୟକ୍ତି ଭାବେ ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପଞ୍ଚାନନ କାନୁନଗୋ, ଶଶିଭୂଷଣ ବେହେରା, ପୂର୍ବତନ ଅର୍ଥ ସଚିବ, ଆରବିଆଇର ଆଞ୍ଚଳିକ ନିର୍ଦ୍ଦେଶକ ଓ ନାବାର୍ଡର ମହାପ୍ରବନ୍ଧକଙ୍କ ସମେତ ପ୍ରାୟ ଏହି ପରାମର୍ଶ ବୈଠକରେ ପ୍ରାୟ ୧୫୦ରୁ ଅଧିକ ବିଜ୍ଞ ବ୍ୟକ୍ତି ଉପସ୍ଥିତ ଥିଲେ।