ରତ୍ନଭଣ୍ଡାର ଖୋଲିବାର ଶୁଭ ସମୟ ୧ଟା ୨୮

ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର।

ଲୋକନାଥ ମନ୍ଦିରରୁ ଆସିଲା ଆଜ୍ଞାମାଳ

ପୁରୀ, ୧୪/୦୭: ଆଜି ଖୋଲିବ ରତ୍ନଭଣ୍ଡାର। ରତ୍ନଭଣ୍ଡାର ଖୋଲିବାର ଶୁଭ ସମୟ ଅପରାହ୍ନ ୧ଟା ୨୮। ଏ ନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଆଜି ପୂର୍ବାହ୍ନ ୧୦ଟାରେ ଉଚ୍ଚସ୍ତରୀୟ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଉଚ୍ଚସ୍ତରୀୟ କମିଟିର ସଦସ୍ୟମାନେ ଏସ୍ଓପି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ବୈଠକ ଶେଷ ହେବା ପରେ ଶ୍ରୀ ରଥ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରତ୍ନଭଣ୍ଡାର ଖୋଲିବାର ଶୁଭ ସମୟ ଅପରାହ୍ନ ୧ଟା ୨୮। ଅପରାହ୍ନ ୧ଟା ପରେ ମନ୍ଦିର ପ୍ରବେଶ ପ୍ରକ୍ରିୟା ଆରମ୍ଭ ହେବ। ୧୧ ଜଣ ସଦସ୍ୟ ମନ୍ଦିର ଭିତରକୁ ପ୍ରବେଶ କରିବେ। କମିଟିର ଦୁଇ ଜଣ ସଦସ୍ୟଙ୍କ ବ୍ୟତୀତ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଓ ସିବିକେ ମହାନ୍ତି, ଜଣେ ଏଏସ୍ଆଇ ସଦସ୍ୟ, ଜିଲ୍ଲାପାଳ ଏବଂ ରତ୍ନଭଣ୍ଡାର ଦାୟିତ୍ୱରେ ଥିବା ସେବାୟତ ଉପସ୍ଥିତ ରହିବେ। ଏହା ସହ ଏକ ଡାକ୍ତରୀ ଦଳ ଓ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯିବ ବୋଲି ଜଣାପଡ଼ିଛି। ସେମାନେ ଭଣ୍ଡାର ଭିତରକୁ ଯିବେ ନାହିଁ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଡକାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ କହିବାନୁଯାୟୀ, କମିଟି ସଦସ୍ୟମାନେ ରତ୍ନଭଣ୍ଡାର ଅଭିମୁଖେ ଯିବା ପରେ ଅସ୍ଥାୟୀ କଟକଣା ଲାଗୁ ହେବ। ସିଂହଦ୍ୱାର ବ୍ୟତୀତ ଅନ୍ୟ ସମସ୍ତ ଦ୍ୱାର ବନ୍ଦ ରହିବ।

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିବ ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ରତ୍ନ ଭଣ୍ଡାର ଖୋଲିବା ପାଇଁ ସେବାୟତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ଲୋକନାଥ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇଛି।