ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯୋଗୁଁ ବଞ୍ଚିଲେ ଡୋନାଲ୍ଡ ଟ୍ରମ୍ପ

ଗତ ୧୩ ତାରିଖରେ ପେନସିଲଭାନିଆରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେବା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳି ଚାଳନା ହୋଇଥିଲା।

୪୮ ବର୍ଷ ପରେ ଆଶୀର୍ବାଦ ସ୍ୱରୂପ ଜୀବନ ରକ୍ଷା କଲେ ମହାପ୍ରଭୁ

ପେନସିଲଭାନିଆ, ୧୫/୦୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ଗତ ଜୁଲାଇ ୧୩ରେ ପେନସିଲଭାନିଆର ଏକ ରାଲିରେ ଯୋଗ ଦେଇଥିବା ବେଳେ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ ଜଣେ ୨୦ ବର୍ଷୀୟ ଆତତାୟୀ ଥୋମାସ ମାଥ୍ୟୁ କ୍ରୁକ୍ସ। ଆତତାୟୀ ଜଣକ ଟ୍ରମ୍ପଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ ବି ଗୁଳିଟି ଟ୍ରମ୍ପଙ୍କ କାନରେ ବାଜିଥିଲା। ଯାହା ଫଳରେ ଟ୍ରମ୍ପ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଥିଲେ। ତେବେ ଟ୍ରମ୍ପଙ୍କ ସୁରକ୍ଷାକର୍ମୀଙ୍କ ଗୁଳିରେ ମାଥ୍ୟୁ କ୍ରୁକ୍ସ ପ୍ରାଣ ହରାଇଛି।

ଅନ୍ୟପଟେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଯୋଗୁଁ ଟ୍ରମ୍ପ ସୁରକ୍ଷିତ ଅଛନ୍ତି ବୋଲି ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର୍ କ୍ରିଷ୍ଣା ଚେତନା (ଇସ୍କନ୍) ଦାବି କରିଛି। ମହାପ୍ରଭୁ ଜଗନ୍ନାଥ ତାଙ୍କୁ ବଞ୍ଚାଇ ଆଶୀର୍ବାଦ ଫେରାଇ ଦେଇଛନ୍ତି। ଠିକ୍ ୪୮ ବର୍ଷ ତଳେ ୧୯୭୬ ମସିହା ଜୁଲାଇ ମାସରେ ଡୋନାଲ୍ଡ ଟ୍ରମ୍ପ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆୟୋଜନ କରିଥିଲେ। ଆଜି ସାରା ବିଶ୍ୱ ଜଗନ୍ନାଥଙ୍କ ରଥଯାତ୍ରା ପାଳନ କରୁଥିବା ବେଳେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇଥିଲା। ଏବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ ସ୍ୱରୁପ ଜୀବନ ଦାନ କରିଛନ୍ତି ବୋଲି ଇସ୍କନ ମୁଖପାତ୍ର ରାଧାରମଣ ଦାସ କହିଛନ୍ତି। ସେତେବେଳେ ଇସ୍କନ ନ୍ୟୁୟର୍କ ସହରରେ ପ୍ରଥମ ରଥଯାତ୍ରା ଆୟୋଜନ କରିବାକୁ ଯୋଜନା କରୁଥିଲା, ସେତେବେଳେ ଅନେକ ଚ୍ୟାଲେଞ୍ଜ ଥିଲା। ଫିଫ୍ଥ ଆଭେନ୍ୟୁରେ ରଥ ଟାଣିବା ପାଇଁ ଅନୁମତି ମିଳିବା କୌଣସି ଚମତ୍କାରଠାରୁ କମ୍ ନଥିଲା, କିନ୍ତୁ ରଥ ନିର୍ମାଣ ପାଇଁ ଏକ ଖାଲି ସ୍ଥାନ ଦରକାର ଥିଲା। ହେଲେ, ଏଥିପାଇଁ କେହି ସାହାଯ୍ୟ କରିନଥିଲେ। କିନ୍ତୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାହାଯ୍ୟ କରିଥିଲେ ଏବଂ ତାଙ୍କ ପାଇଁ ରଥଯାତ୍ରା ସମ୍ଭବ ହୋଇ ପାରିଥିଲା ବୋଲି ଶ୍ରୀ ଦାସ କହିଛନ୍ତି।