ପ୍ୟାରିସ ଅଲିମ୍ପିକ୍ସ: ଫାଇନାଲ ଖେଳିବେନି ଭିନେଶ ଫୋଗାଟ୍

ଅଯୋଗ୍ୟ ଘୋଷିତ ପରେ ଭିନେଶ ଅସୁସ୍ଥ

ପ୍ୟାରିସ, ୭/୮: ପ୍ୟାରିସ୍ ଅଲିମ୍ପିକ୍ସର ମହିଳା କୁସ୍ତି ଫାଇନାଲରୁ ବଞ୍ଚିତ ହେଲେ ଭାରତର କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍। ଭାରତର ସ୍ୱର୍ଣ୍ଣ ପଦକ ଜିତିବାର ନେଇ ଆଶା କ୍ଷୀଣ ହୋଇଯାଇଛି। ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ଭାରତକୁ ମିଳିଛି ଏକ ବଡ ଝଟକା। ୫୦ କେଜି ମହିଳା କୁସ୍ତି ବର୍ଗରେ ଫାଇନାଲକୁ ଯାଇଥିଲେ ଭିନେଶ। ହେଲେ ଧାର୍ଯ୍ୟଠାରୁ ଅଧିକ ଓଜନ ହେତୁ ତାଙ୍କୁ ଡିସକ୍ୱାଲିଫାଏଡ୍ କରାଯାଇଛି। ୫୦ କେଜିଠାରୁ ୧୦୦ ଗ୍ରାମ ଅଧିକ ଓଜନର ହୋଇଥିବା ଜଣାପଡିଛି। ଦୁର୍ଭାଗ୍ୟବଶତଃ ଭିନେଶ ଫୋଗାଟଙ୍କ ଅଯୋଗ୍ୟତା ଯଦି ବଳବତ୍ତର ରହେ ତେବେ ପ୍ୟାରିସ୍ ଅଲିମ୍ପିକ୍ସରେ କୌଣସି ପଦକ ଜିତିପାରିବେ ନାହିଁ।

ମଙ୍ଗଳବାର ଭିନେଶ ଫୋଗାଟ ୫୦ କେଜି ବର୍ଗରେ ଥିଲେ। ସେ ପ୍ରଥମ ରାଉଣ୍ଡରେ ବିଶ୍ୱର ଏକ ନମ୍ବର ଖେଳାଳି ଜାପାନର ୟୁଇ ସୁସାକିଙ୍କୁ ପରାସ୍ତ କରିବା ପରେ କ୍ୱାର୍ଟର ଫାଇନାଲ ଓ ୟୁକ୍ରେନର ଓକସାନା ଲିଭାକାଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। କ୍ୟୁବାର ୟୁସନେଲିସ୍ ଗୁଜମ୍ୟାନଙ୍କୁ ପରାସ୍ତ କରି ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ କୁସ୍ତି ଫାଇନାଲରେ ପ୍ରବେଶ କରିଥିଲେ। ଫାଇନାଲରେ ଆମେରିକାର ସାରା ହିଲଡେବ୍ରାଣ୍ଡଟଙ୍କୁ ଭେଟିବାର ଥିଲା।

ଅନ୍ୟପଟେ ଭିନେଶ ତାଙ୍କ ଡିସକ୍ୱାଲିଫାଏଡ୍ ଖବର ଶୁଣି ଅସୁସ୍ଥ ହୋଇ ପଡିଛନ୍ତି। ଶରୀର ଡିହାଇଡ୍ରେସନ ହୋଇ ଯାଇଥିବାରୁ ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଭିନେଶଙ୍କ ଅଯୋଗ୍ୟ ଘୋଷଣା କଂଗ୍ରେସ ଏହାକୁ ଷଡଯନ୍ତ୍ର ବୋଲି କହିଛି।