ଆଇସିସିର ସବୁଠୁ କନିଷ୍ଠ ଅଧ୍ୟକ୍ଷ ହେଲେ ଜୟ ଶାହ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସିର ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେଲେ ଜୟ ଶାହ।

ମାତ୍ର ୩୫ ବର୍ଷ ବୟସରେ ଆଇସିସି ଅଧ୍ୟକ୍ଷ ହେବାର ରେକର୍ଡ

ନୂଆଦିଲ୍ଲୀ, ୨୭/୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସିର ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେଲେ ଜୟ ଶାହ। ଆଜି ଆଇସିସି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବା ପାଇଁ ଶେଷ ତାରିଖ ଥିବା ବେଳେ ଜୟ ଶାହଙ୍କ ବ୍ୟତୀତ ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ ଏକ ଖାସ୍ କଥା ହେଉଛି, ସେ ହେଉଛନ୍ତି ଆଇସିସିର ସବୁଠୁ କନିଷ୍ଠ ଅଧ୍ୟକ୍ଷ। ମାତ୍ର ୩୫ ବର୍ଷ ବୟସରେ ଏହି ସମ୍ମାନଜନକ ପଦର ଅଧିକାରୀ ହେବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି। ସେହିପରି ଏହି ପଦରେ ଅଧିଷ୍ଠିତ ହେବାରେ ସେ ହେଉଛନ୍ତି ପଞ୍ଚମ ଭାରତୀୟ। ଏହା ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ ଶ୍ରୀନିବାସନ ଓ ଶଶାଙ୍କ ମନୋହର ଆଇସିସିର ଅଧ୍ୟକ୍ଷ ପଦରେ ରହିଥିଲେ।

ଆଇସିସି ହେଉଛି ୧୦୦ରୁ ଅଧିକ ସଦସ୍ୟ ବିଶିଷ୍ଟ କ୍ରିକେଟର ବିଶ୍ୱସ୍ତରୀୟ ସଂସ୍ଥା। ଏହା ବିଶ୍ୱକପ୍ ଭଳି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିଥାଏ। ଆଇସିସିର ଅଧ୍ୟକ୍ଷ ପଦ ପାଇଁ ୨ ବର୍ଷର ସମୟ ସୀମା ଥାଏ।

୨୦୨୦ରୁ ପ୍ରଥମେ ନିର୍ବାଚିତ ହୋଇ ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେ ଆଇସିସି ମୁଖ୍ୟ ପଦ ସମ୍ଭାଳିଥିବା ବେଳେ ୨୦୨୨ରେ ତାଙ୍କୁ ପୁନଃ ନିର୍ବାଚିତ କରାଯାଇଥିଲା। ବର୍ତ୍ତମାନ ଆଇସିସି ଅଧ୍ୟକ୍ଷ ଭାବେ କାମ କରୁଥିବା ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ। ଏହା ପରେ ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇର ସମ୍ପାଦକ ଭାବେ କାର୍ଯ୍ୟ ତୁଲାଉଥିବା ଜୟ ଶାହ ଆସନ୍ତା ଡିସେମ୍ବର ୧ରୁ କାର୍ଯ୍ୟଭାର ସମ୍ଭାଳିବେ। ଅକ୍ଟୋବର ୨୦୧୯ରୁ ସେ ବିସିସିଆଇର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି।