ଦର୍ଶନରେ ପ୍ରକାଶିତ ଖବର ପ୍ରଭାବ

ମୋରମ୍ ଚୋରି ସ୍ଥାନରୁ ଜେସିବି ସ୍ଥାନାନ୍ତରିତ କଲା ଠିକା ସଂସ୍ଥା

ବୌଦ୍ଧ, ୨୮/୮(ଦର୍ଶନ ନ୍ୟୁଜ୍): ପୁତନା ସଂରକ୍ଷିତ ଜଙ୍ଗଲର ପାହାଡ଼ କାଟି ଆର୍ କେ ଡି ନାମକ ଠିକା ସଂସ୍ଥା ରାତିରେ ମୋରମ୍ ଚାଲାଣ କରି ବାଉଁଶୁଣୀ ବୀରମହାରାଜପୁର ବ୍ରିଜ ସାଇଡକୁ ରାସ୍ତା ନିର୍ମାଣରେ ବ୍ୟବହାର କରୁଥିଲା। ମାସ ମାସ ଧରି ଏ କାରବାର ଚାଲିଥିବା ବେଳେ ରାଜସ୍ବ ବିଭାଗ, ଜଙ୍ଗଲ ବିଭାଗ ଓ ଖଣି ବିଭାଗର ଦୃଷ୍ଟି ଗୋଚର ହେଉନଥିଲା। ଯଦିଓ ମୋରମ୍ ପାହାଡ଼ ବାଉଁଶୁଣୀ ଗୁନ୍ଦୁଲିଆ ରାସ୍ତା କଡରେ ଅବସ୍ଥିତ ଅଟେ ଏବଂ ଏହା ବାଉଁଶୁଣୀ ଫରେଷ୍ଟରଙ୍କ ଅଧୀନରେ ଆସୁଥିବା ଜଣାପଡିଛି। ଏ ସଂପର୍କରେ ଗତକାଲି ଦର୍ଶନରେ ଖବର ପ୍ରକାଶିତ ହେବାପରେ ଠିକା ସଂସ୍ଥା ମୋରମ୍ ଲୋଡିଂରେ ବ୍ୟବହୃତ ଜେସିବି ନିଜ କେମ୍ପ ନିକଟକୁ ଟ୍ରଲର ଯୋଗେ ସ୍ଥାନାନ୍ତରିତ କରିଛି। ଅଳ୍ପ ଦିନ ତଳେ ଟ୍ରାକ୍ଟର ଯୋଗେ ବାଲି ଚାଲାଣ କରୁଥିବା ବ୍ୟକ୍ତି ମୋଟା ଅଙ୍କର ଫାଇନ୍ ଦେଇଥିଲେ। ଏଣୁ ମାସ ମାସ ଧରି ଶହ ଶହ ଟ୍ରିପ୍ ମୋରମ୍ ଡମ୍ପର ଯୋଗେ ଚାଲାଣ କରିଥିବା ଠିକା ସଂସ୍ଥା ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଜଙ୍ଗଲ, ରାଜସ୍ଵ ଓ ଖଣି ବିଭାଗ ଆଗାମୀ ଦିନରେ ନେବାକୁ ନେଇ ଜନସାଧାରଣରେ ଆଲୋଚନା ହେଉଛି।