ଓଡିଶାର ଦୁଇ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ, ୨୮/୮: ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାର ଦୁଇଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ବରଗଡ଼-ନୂଆପଡ଼ା ନୂଆ ରେଳଲାଇନ୍ ଓ ସରଡେଗା-ଭାଲୁମୁଣ୍ଡା ଡବଲ୍ ଲାଇନ୍ ରେଳ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରିଛି ବୋଲି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଓଡ଼ିଶାର ବରଗଡ଼ ଓ ନୂଆପଡ଼ା ମଧ୍ୟରେ ରେଳ ଯୋଗାଯୋଗକୁ ପ୍ରୋତ୍ସାହିତ କରିବ। ୧୩୮ କିଲୋମିଟର ଲାଇନ ପାଇଁ କେନ୍ଦ୍ର ସରକାର ୨୯୨୬ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏହି ନୂଆ ରେଳଲାଇନ୍ ସମ୍ବଲପୁର-ରାୟପୁର ମଧ୍ୟରେ ଦୂରତା ପ୍ରାୟ ୮୭ କିଲୋମିଟର ହ୍ରାସ କରିବ।

ସେହିପରି ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ସରଡେଗା ଓ ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଭାଲୁମୁଣ୍ଡା ମଧ୍ୟରେ ନୂଆ ଡବଲ ଲାଇନକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ମିଳିଛି। ୧୩୬୦ କୋଟି ଟଙ୍କା ବ୍ୟୟରେ ୩୭ କିଲୋମିଟର ଲାଇନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ବୈଷ୍ଣବ କହିଛନ୍ତି।