ଆରଜି କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ

ଦିନତମାମ ପଚରାଉଚରା ପରେ ଗିରଫ କଲା ସିବିଆଇ

କୋଲକାତା, ୦୨/୦୯: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ବିବାଦୀୟ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଅନେକ ଦିନର ପଚରାଉଚରା ପରେ ସିବିଆଇ ସୋମବାର ଗିରଫ କରିଛି। ଗତ ଅଗଷ୍ଟ ୧୪ ତାରିଖରେ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୋଲକାତା ପୁଲିସଠାରୁ ତଦନ୍ତ ଦାୟିତ୍ୱ ନେଇଥିବା ସିବିଆଇ ୧୬ ଦିନ ଧରି ପଚରାଉଚରା କରିବା ପରେ ଆଜି ଗିରଫ କରିଛି। ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ସହ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସିବିଆଇ ସନ୍ଦିପ ଘୋଷଙ୍କୁ ଆଜି ଦିନତମାମ କରୁଥିଲା। ତେବେ ସନ୍ଦିପ ଘୋଷଙ୍କ ଗିରଫଦାରୀର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ ହୋଇଥିବା ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୯ ତାରିଖ ସକାଳେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଥିବା ସେମିନାର ହଲରୁ ଜୁନିଅର ଡାକ୍ତରଙ୍କ ମୃତଦେହ ମିଳିବା ପରଠାରୁ ସନ୍ଦିପ ବହୁ ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଥିଲେ। ଜୁନିଅର ଡାକ୍ତରଙ୍କ ସହ ଘଟିଥିବା ଘଟଣାରେ ସନ୍ଦିପ ଘୋଷଙ୍କ ସମ୍ପୃକ୍ତି ରହି ଥାଇପାରେ ବୋଲି ଡାକ୍ତରୀ ସଂଗଠନ ଦାବି କରୁଛି। ସେପଟେ ସନ୍ଦିପ ଘୋଷ ଓ ସଂଜୟ ରୟଙ୍କ ସମେତ ମୋଟ ୧୦ ଜଣଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଛି। ସନ୍ଦିପଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ମଧ୍ୟ ସିବିଆଇ ଚଢାଉ କରିଥିଲା। ଚଢାଉ ବେଳେ ସିବିଆଇକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ସିବିଆଇ ଆଣ୍ଟି କରପସନ ୟୁନିଟ ସନ୍ଦିପ ଘୋଷଙ୍କ ଦୁର୍ନୀତି ମାମଲାର ଯାଞ୍ଚ କରୁଛି।